ଗୁଡ଼ଭେଲା,୩୦ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଘୁନା ପଞ୍ଚାୟତ ଅନ୍ତର୍ଗତ ଗୁଡଙ୍ଗାମାଳ ଗ୍ରାମ ପୁଟାପଡାର ଚୈତନ୍ୟ ପୁଟା (୨୪) ତିନିବର୍ଷ ତଳେ ଗଛରୁ ପଡିଯାଇଥିଲେ। ତାଙ୍କର ଦୁଇ ଗୋଡ ଓ ଅଣ୍ଟା ଅଚଳ ହୋଇଯାଇଥିଲା। ବିଭନ୍ନ ସ୍ଥାନରେ ଚିକିତ୍ସା କରାଇଲେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ। ଫଳରେ ସେ ଚଲାବୁଲା କରି ନ ପାରି ଜୀବନ ସହ ସଂଘର୍ଷ କରୁଛନ୍ତି। ପାଞ୍ଚବର୍ଷ ତଳେ ଘରମଣୀଙ୍କୁ ସେ ବିବାହ କରିଥିଲେ। ତାଙ୍କର ୩ବର୍ଷର ପୁଅ ଗୁରୁ ରହିଛି । ଚୈତନ୍ୟଙ୍କ ଏଭଳି ଦୁର୍ଦ୍ଦଶାରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ଘରମଣୀ। ଚୈତନ୍ୟଙ୍କୁ ବଲାଙ୍ଗୀର, ବୁର୍ଲା ନେଇ ଚିକିତ୍ସା କରାଇଲେ ମଧ୍ୟ କୌଣସି ଲାଭ ହୋଇ ନ ଥିବା ଘରମଣୀ ପ୍ରକାଶ କରିଛନ୍ତି। ତାଙ୍କର ଜମିବାଡି କିଛି ନାହିଁ। ଗୁଡଙ୍ଗାମାଳ ଆଶ୍ରମ ସ୍କୁଳରେ ରନ୍ଧୁଣିଆ ଭାବେ କାର୍ଯ୍ୟ କରୁଥିବା ଘରମଣୀ ଘର ଚଳାଇବା ସହ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ଉଠିବା ସମ୍ଭବ ହେଉନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଚୈତନ୍ୟଙ୍କ ଉଚ୍ଚତର ଚିକିତ୍ସା କରାଇବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।