କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚାହୁଁଛନ୍ତି। ଏମିତିକି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କୁ ସଂସ୍କାର କରିବାକୁ ପ୍ରିୟପରିଜନ ମଧ୍ୟ ଭୟ କରୁଛନ୍ତି। ହେଲେ ଏହି ସମୟରେ ଦେବଦୂତ ସାଜିଛନ୍ତି ଜଣେ ଚା’ ବାଲା। ଅବଦୁଲ ରଜ୍ଜକ ନାମକ ଏହି ବ୍ୟକ୍ତି ଜଣଙ୍କ ଜୀବନ ଶୈଳି ଖୁବ୍‌ ସାଦାସିଧା ହୋଇଥିବା ବେଳେ ସେ କିନ୍ତୁ କରୋନା ସଂକ୍ରମିତଙ୍କ ମୃତ ଶରୀରକୁ ସଂସ୍କାର କରିବାକୁ ଆଗେଇ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରଜ୍ଜକଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଇଛି ସେ ଏକ ଶିଶୁର ମୃତଦେହକୁ ହସ୍ପିଟାଲରୁ ଶବଦାହ ଗୃହକୁ ନେଇ ଯାଉଛନ୍ତି। ସୂଚନାରୁ ଜଣାପଡିଛି କି ପଶ୍ଚିମବଙ୍ଗର ଏହି କନ୍ୟା ସନ୍ତାନଟି କିଡ୍‌ନୀ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କୁ ବେଙ୍ଗାଲୁରୁର ସେଣ୍ଟ ଜନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଡାକ୍ତରଙ୍କ ସତ ଚେଷ୍ଟା ପରେ ବି ଶିଶୁଟିର ମୃତ୍ୟୁ ହୋଇଥିଲା। ଆଉ ଏହାପରେ ଚା’ ବିକ୍ରିକରି ଗୁଜୁରାଣ ମେଣ୍ଟାଉଥିବା ରଜ୍ଜକ ସହଯୋଗର ହାତ ବଢାଇ ଶିଶୁଟିର ଅନ୍ତିମ ସଂସ୍କାର କରିଥିଲେ ବୋଲି କୁହାଯାଏ। ସେ ସମୟରେ ଶିଶୁଟିର ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ରଜ୍ଜକ ଏବେ ଜଣେ ସ୍ବେଚ୍ଛାସେବୀ ଭାବେ କରୋନା ମୃତକଙ୍କ ସଂସ୍କାର କରୁଥିବାରୁ ଏହା ଯେମିତି ତାଙ୍କର କର୍ତ୍ତବ୍ୟ ବୋଲି ସେ କୁହନ୍ତି।

Share