Categories: ଜାତୀୟ

ଚକ-ଅଖ ଜାମ୍‌: ୧୯୮୮ର ପୁନରାବୃତ୍ତି, ମୋଦି ସରକାରଙ୍କ ପାଇଁ ଚେତାବନୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନକୁ ନେଇ ମଙ୍ଗଳବାର ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ଚକ-ଅଖ ଜାମ୍‌ ହୋଇ ଯାଇଛି। ପ୍ରଦର୍ଶନକାରୀ ଚାଷୀମାନେ ବହୁ ସ୍ଥାନରେ ରେଳ ରୋକ କରିଛନ୍ତି। ବିଭିନ୍ନ ଜାତୀୟ ରାଜପଥରେ ବସି ରହି ସେମାନେ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଛନ୍ତି। ଇତିମଧ୍ୟରେ ପ୍ରଦର୍ଶନକୁ ୧୨ ଦିନ ବିତିଥିଲେ ମଧ୍ୟ କୌଣସି ସମାଧାନର ପଥ ବାହାରି ପାରି ନାହିଁ। ବୁଧବାର କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ପୁଣି ଆଲୋଚନା କରାଯିବ। ସାମ୍ପ୍ରତିକ ଅନ୍ନଦାତାଙ୍କ ଭାରତ ବନ୍ଦ ଘଟଣା ୩୨ ବର୍ଷ ତଳେ ୧୯୮୮ ଅକ୍ଟୋବର ୨୫ରେ ହୋଇଥିବା ଚାଷୀ ଆନ୍ଦୋଳନକୁ ମନେ ପକାଇ ଦେଇଛି। ୧୪ ରାଜ୍ୟର ୫ ଲକ୍ଷରୁ ଅଧିକ ଚାଷୀ ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ଦିଲ୍ଲୀ ମୁହାଁ ହୋଇଥିଲେ। ବିଦ୍ୟୁତ୍‌ ଏବଂ ଜଳସେଚନ ପାଇଁ ଧାର୍ଯ୍ୟ କରାଯାଇଥିବା ସରକାରୀ ଦାମ୍‌ର ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହାଦ୍ୱାରା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଭଳି ସେତେବେଳେ ମଧ୍ୟ ଚାଷୀଙ୍କୁ ରୋକିବା ପାଇଁ ପୋଲିସଙ୍କୁ ମୁତୟନ କରାଯାଇଥିଲା। ଲୋନିଠାରେ ପୋଲିସ ଫାଇରିଙ୍ଗ୍‌ରେ ରାଜେନ୍ଦ୍ର ସିଂ ଏବଂ ଭୂପ ସିଂ ନାମକ ଚାଷୀଙ୍କର ମୃତ୍ୟୁ ଘଟିଥିଲା। ଶେଷରେ ଚାଷୀ ସଂଗଠନ ଦିଲ୍ଲୀର ବୋଟ କ୍ଲବ୍‌ରେ ପହଞ୍ଚି ୭ ଦିନ ଧରି ଧାରଣା ଦେଇଥିଲେ। ଅକ୍ଟୋବର ୩୦ରେ ରାତିରେ ଚାଷୀଙ୍କ ଉପରେ ଲାଠି ଚାର୍ଜ କରାଯାଇଥିଲା। କିନ୍ତୁ ଟିକାୟତ ହାରି ନ ଥିଲେ। ଚାଷୀଙ୍କ ପ୍ରଦର୍ଶନ ଯୋଗୁ କଂଗ୍ରେସକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଉତ୍ସବ ଲାଗି ଆୟୋଜିତ ହେବାକୁ ଥିବା ରାଲିକୁ ଲାଲ୍‌ କିଲ୍ଲା ପଛରେ ଥିବା ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ରାଜୀବ ଗାନ୍ଧୀଙ୍କ ସରକାର ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ। ଅକ୍ଟୋବର ୩୧ରେ ଚାଷୀ ସଂଗଠନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ସମସ୍ତ ୩୫ ଦାବିକୁ ସରକାର ମାନି ନେଇଥିଲେ। ଏବେ ଏହାର ପୁନରାବୃତ୍ତି ହେବା ନେଇ ଚର୍ଚ୍ଚା ଜାରି ରହିଛି। ମୋଦି ସରକାର କୃଷି ଆଇନ ଉପରେ ବିଚାର କରନ୍ତୁ ବୋଲି ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଦାବି ମଧ୍ୟ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ମଧ୍ୟ ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏର କେତେକ ସହଯୋଗୀ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଫଳରେ ଏନ୍‌ଡିଏରେ ଫାଟ ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ମୋଦି ସରକାରଙ୍କ ପାଇଁ ଚେତବାନୀ ସୃଷ୍ଟି କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share