ଚକ୍ରଧାରୀ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ,୩ା୧୧(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ନିଯୁକ୍ତ ହେବେ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ସଞ୍ଜୟ କିଶାନ କାଉଲ୍‌, ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍‌ ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଗୁରୁବାର ସୁପାରିସ କରିଛନ୍ତି। ଜଷ୍ଟିସ ସିଂ ଏହି ପଦ ପାଇଁ ଯୋଗ୍ୟ ବୋଲି କଲେଜିୟମ ହୃଦ୍‌ବୋଧ କରିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।
ପ୍ରକାଶ ଯେ, ଜଷ୍ଟିସ୍‌ ଶରଣ ସିଂ ୧୯୬୩ ଜାନୁୟାରୀ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (କ୍ୟାମ୍ପସ୍‌ ସେଣ୍ଟର୍‌)ରୁ ଏଲ୍‌ଏଲ୍‌ବି ପାଠ୍ୟକ୍ରମ ଶେଷ କରିବା ପରେ ୧୯୯୦ରେ ପାଟଣା ହାଇକୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ସାମ୍ବିଧାନିକ, ସର୍ଭିସ୍‌, ଆର୍ବିଟ୍ରେଶନ୍‌ ଓ ଫୌଜଦାରି, ଶ୍ରମ ବିବାଦ ଆଦି ମାମଲା ବେଶ୍‌ ସଫଳତାର ସହ ପରିଚାଳନା କରିଥିଲେ। ତାଙ୍କୁ ୧୯୯୮ରେ ବିହାରର ଅତିରିକ୍ତ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଭାବେ ନିଯୁକ୍ତି ମିଳିଥିଲା। ୨୦୦୬ରେ ପ୍ରଶିକ୍ଷଣ ନେଇ ସେ ପାଟଣା ହାଇକୋର୍ଟରେ ମିଡିଏଟର୍‌ ଭାବେ ଯୋଗ ଦେଇଥିଲେ। ୨୦୧୦ ସେପ୍ଟେମ୍ବର ୧୮ ତାରିଖରେ ତାଙ୍କୁ ବରିଷ୍ଠ ଆଇନଜୀବୀର ମାନ୍ୟତା ମିଳିଥିଲା। ୨୦୧୨ ଏପ୍ରିଲ୍‌ ୫ ତାରିଖରେ ପାଟଣା ହାଇକୋର୍ଟର ବିଚାରପତି ଭାବେ ସେ ନିଯୁକ୍ତି ପାଇଥିଲେ। ପାଟଣା ହାଇକୋର୍ଟର ବିଚାରପତି ଭାବେ ସେ ୧୧ ବର୍ଷ ମଧ୍ୟରେ ୧,୨୪୬ ରିପୋଟେଡ୍‌ ଜଜ୍‌ମେଣ୍ଟ କରିଥିଲେ। ସେ ଗତ ଫେବୃୟାରୀ ୬ ତାରିଖରୁ ପାଟଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡ଼ିଥିଲା। ସେବେଠାରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।

Share