Categories: ଜାତୀୟ

୮ ପର୍ଯ୍ୟାୟ ନିର୍ବାଚନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨।୩(ପି.ଟି.): ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ (ଇସି) ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଇସିଙ୍କ ନିଷ୍ପତ୍ତି ବିରୋଧରେ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ସୋମବାର ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି। ୮ ପର୍ଯ୍ୟାୟରେ ନିର୍ବାଚନ ହେବା ଦ୍ୱାରା ଏହା ସମ୍ବିଧାନର ଅନୁଚ୍ଛେଦ ୧୪ (ସମାନତା ଅଧିକାର) ଏବଂ ଅନୁଚ୍ଛେଦ ୨୧ (ବଞ୍ଚତ୍ବାର ଅଧିକାର)ର ଉଲ୍ଲଂଘନ କରୁଛି। ଏଭଳି ୮ ପର୍ଯ୍ୟାୟ ନିର୍ବାଚନ ବନ୍ଦ କରିବାକୁ ଅଦାଲତ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ପିଟିଶନରେ ଅନୁରୋଧ କରାଯାଇଛି।
ପଶ୍ଚିମବଙ୍ଗ ସମେତ ତାମିଲନାଡୁ, କେରଳ, ଆସାମ, ଏବଂ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଲାଗି ଇସି ଫେବୃୟାରୀ ୨୬ରେ ତାରିଖ ଘୋଷଣା କରିଥିଲେ। ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ୮ ପର୍ଯ୍ୟାୟରେ ଭୋଟ ହେବ ବୋଲି ଘୋଷଣା କରାଯାଇଥିଲା। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଆସାମରେ ୩ ପର୍ଯ୍ୟାୟରେ ହେବ। ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ଧର୍ମୀୟ ସ୍ଲୋଗାନ ଦିଆଯାଉଥିବାରୁ ଏହା ବିରୋଧରେ ଏତଲା ଦାଏର ଲାଗି ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ ଆଇନଜୀବୀ ଶର୍ମା ପିଟିଶନରେ ଅନୁରୋଧ କରିଛନ୍ତି। ଜୟ ଶ୍ରୀରାମ ଏବଂ ଅନ୍ୟାନ୍ୟ ଧର୍ମୀୟ ସ୍ଲୋଗାନ ସଦ୍‌ଭାବନା ନଷ୍ଟ କରୁଛି। ଆଇପିସି ଏବଂ ଜନପ୍ରତିନିଧି ଆଇନରେ ଏହା ଅପରାଧ ବୋଲି ପିଟିଶନରେ ଦର୍ଶାଯାଇଛି।

Share