ଏସ୍‌ଆର୍‌ସିଙ୍କ ପୂଜା ଗାଇଡ୍‌ଲାଇନ୍‌କୁ ଚ୍ୟାଲେଞ୍ଜ

କଟକ ଅଫିସ,୧୨। ୯: ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପୂଜା ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ସହରର ଅନ୍ୟ ୨୪ଟି ପୂଜା କମିଟି ଓ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ପକ୍ଷଭୁକ୍ତ ହୋଇଛନ୍ତି। ଗାଇଡ୍‌ଲାଇନରେ ଉଲ୍ଲେଖ ଥିବା କିଛି ନିର୍ଦ୍ଦିଷ୍ଟ ନିୟମକୁ ଏଥିରେ ପ୍ରତିବାଦ କରାଯାଇଛି।
ମା’ ଦୁର୍ଗାଙ୍କ ପୂଜା ତନ୍ତ୍ର ଓ ମନ୍ତ୍ରରେ ଆଧାରିତ। ପାଣିକଖାରୁ ବଳି ନ ଦିଆଗଲେ ପୂଜା ସମ୍ପୂର୍ଣ୍ଣ ନୁହେଁ। ଏଭଳି ସ୍ଥଳେ ତିନି ପାର୍ଶ୍ୱକୁ ଆବଦ୍ଧ କରି ପୂଜା କରିବା ସମ୍ଭବ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ପୂଜା ପେଣ୍ଡାଲ ୩ ପାର୍ଶ୍ୱରୁ ଆବଦ୍ଧ କରିବାକୁ ଏସ୍‌ଆରସିଙ୍କ ପକ୍ଷରୁ ପ୍ରଦତ୍ତ ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଛି। ୪ଫୁଟ୍‌ର ମୂର୍ତ୍ତି ନିର୍ମାଣକୁ ନେଇ ଅନ୍ୟଏକ ପ୍ରତିବାଦ ହୋଇଛି। ବିଭିନ୍ନ ପୂଜାମଣ୍ଡପରେ ମୃଣ୍ମୟୀ ପ୍ରତିମା ପ୍ରାୟ ୭ଫୁଟ୍‌ର। ଏଥିପାଇଁ ସ୍ବତନ୍ତ୍ର ଛାଞ୍ଚ ମଧ୍ୟ ରହିଛି। ମା’ଙ୍କ ଆସ୍ଥାନ ମଧ୍ୟ ସମାନ ଉଚ୍ଚତାର ହୋଇଥାଏ। ଏଣୁ ୪ ଫୁଟ୍‌ର ଛାଞ୍ଚ ଓ ଆସ୍ଥାନ ନିର୍ମାଣ କରିବା ଏବେ ସହଜ ନୁହେଁ ବୋଲି ଆବେଦନକାରୀ କହିଛନ୍ତି। ୪ଫୁଟ୍‌ ବଦଳରେ ୭ଫୁଟ୍‌ର ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ଅନୁମତି ଦେବାକୁ ଏମାନେ ଆବେଦନ କରିଛନ୍ତି। ସେହିପରି ବିସର୍ଜନ ପାଇଁ ଚେଚିସ୍‌ କିମ୍ବା ଟ୍ରାକ୍ଟରର ଅନୁମତି ଦିଆଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ପୂଜା କମିଟି କେହି କର୍ମକର୍ତ୍ତା ନ ଯାଇ ମଧ୍ୟ ବିସର୍ଜନ ହେବ ବୋଲି ଆବେଦନକାରୀ ପ୍ରତିଶ୍ରୁତି ଦେଇଛନ୍ତି। ଆବେଦନକାରୀ ଏହି ମାମଲାରେ ଗୃହ ବିଭାଗ ସଚିବ, ଆଇନ ବିଭାଗ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, ପୋଲିସ କମିଶନର, କଟକ ଓ ଭୁବନେଶ୍ୱର ଡିସିପି, କଟକ ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି। ବାଲୁବଜାର ପୂଜା କମିଟି ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ସମ୍ପାଦକ ରାଜେନ୍ଦ୍ର ସାମଲ, ଅନ୍ୟତମ ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଏହି ମାମଲା ରୁଜୁ କରିଛନ୍ତି। ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ମାମଲା ପରିଚାଳନା ଦାୟିତ୍ୱରେ ଅଛନ୍ତି।

Share