Categories: ଜାତୀୟ

ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ: ଆଜି ଉଦ୍ଧବ ଗୋଷ୍ଠୀ ପିଟିଶନ୍‌ର ଶୁଣାଣି

ନୂଆଦିଲ୍ଲୀ,୨୨।୨(ପି.ଟି.): ଏକନାଥ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ବୀକୃତି ଏବଂ ଧନୁତୀର ଚିହ୍ନ ପ୍ରଦାନ ଲାଗି ନିର୍ବାଚନ କମିଶନ (ଇସି)ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ବୁଧବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଉଦ୍ଧବ ଗୋଷ୍ଠୀ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ୍‌ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଉକ୍ତ ପିଟିଶନ ଉପସ୍ଥାପନ କରିଥିଲେ। ଖଣ୍ଡପୀଠରେ ଜଷ୍ଟିସ୍‌ କ୍ରିଷ୍ଣା ମୁରାରୀ ଏବଂ ପି.ଏସ୍‌. ନରସିଂହ ରହିଛନ୍ତି। ଯଦି ଇସିଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରା ନ ଯାଏ, ତେବେ ସେମାନେ ନିର୍ବାଚନୀ ଚିହ୍ନ ଏବଂ ବ୍ୟାଙ୍କ ଆକାଉଣ୍ଟ କବ୍‌ଜା କରିବେ। ତେଣୁ ବୁଧବାର ସାମ୍ବିଧାନିକ ପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ସିବଲ ଅନୁରୋଧ କରିଥିଲେ। ବୁଧବାର ଅପରାହ୍ନ ୩ଟା ୩୦ରେ ଶୁଣାଣି କରିବାକୁ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି।

Share