Categories: ଜାତୀୟ

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ନିୟୋଜନ ପାଇଁ ହାଇକୋର୍ଟଙ୍କ ଆଦେଶକୁ ବିରୋଧ: ସୁପ୍ରିମକୋର୍ଟରେ ରାଜ୍ୟ ନିର୍ବାଚନ ଆୟୋଗ…

କୋଲକାତା,୧୭।୬ : ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଲକାତା ହାଇକୋର୍ଟ ତାଙ୍କ ରାୟରେ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ଜିଲାରେ କେନ୍ଦ୍ରୀୟ ବାହିନୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ପଞ୍ଚାୟତ ନିର୍ବାଚନ ସହ ଜଡିତ ଆଲୋଚନା ପାଇଁ ଶନିବାର ରାଜ୍ୟ ନିର୍ବାଚନ ଆୟୋଗ କମିଶନର ରାଜୀବ ସିହ୍ନାଙ୍କୁ ରାଜ ଭବନକୁ ଡକାଇଛନ୍ତି।

ପଞ୍ଚାୟତ ନିର୍ବାଚନରେ ହିଂସା ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ ଏବଂ ଭାଜପା ନେତା ସୁଭେନ୍ଦୁ ଆଧିକାରୀ କୋଲକାତା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରି ପଞ୍ଚାୟତ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ରୀୟ ବାହିନୀର ମୁତୟନ ଏବଂ ନାମାଙ୍କନ ତାରିଖ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହା ଉପରେ ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ପୋଲିସ ସହିତ ପାରାମିଲିଟାରୀ ଫୋର୍ସ ମୁତୟନ କରିବା ଉଚିତ। ତେବେ ଏହାର ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କର ହେବ । ରାଜ୍ୟ ସରକାରଙ୍କ ପରାମର୍ଶ ପରେ ହିଁ ଏ ବାବଦରେ ନିଷ୍ପତ୍ତି ନେବାକୁ ରାଜ୍ୟ ନିର୍ବାଚନ ଆୟୋଗ ସକ୍ଷମ ହେବ। କୋର୍ଟ କହିଥିଲେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ସମ୍ବେଦନଶୀଳ ଜିଲା ପାଇଁ କେନ୍ଦ୍ରୀୟ ବାହିନୀ ଦାବି କରିବେ ଏବଂ ଏହାର ମୂଲ୍ୟ କେନ୍ଦ୍ର ସରକାର ବହନ କରିବେ।

କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟରେ ଏକ ସମୀକ୍ଷା ଆବେଦନ କରିଛନ୍ତି। ମମତା ବାନାର୍ଜୀ ହାଇକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଛନ୍ତି। ଅପରପକ୍ଷରେ ା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ଅବୁ ହାସିମ ଖାନ ମଧ୍ୟ ସୁପ୍ରିମକୋର୍ଟରେ ଏକ ସଚେତନତା (କୈଭିଏଟ)ଦାଖଲ କରିଛନ୍ତି। ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସମୟରେ ହିଂସା ଘଟଣା ଘଟୁଛି। ଅଭିଯୋଗ ହୋଇଛି ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବାକୁ ଦିଆଯାଉ ନାହିଁ। ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ହିଂସାତ୍ମକ ସଂଘର୍ଷରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Share