Categories: ଜାତୀୟ

ଭାଜପାରେ ସାମିଲ ହେବା ଉପରେ ଆସିଲା ଚମ୍ପାଇ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା, ମୋଦି, ଶାହାଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୨୭।୮: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ସେ ଆଜି ଏହି ବିଷୟରେ ନୀରବତା ଭାଙ୍ଗିଛନ୍ତି। ଚମ୍ପାଇ ସୋରେନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି। ମୁଁ ଭାଜପାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।

ଚମ୍ପାଇ କହିଛନ୍ତି , ମୁଁ ଅବସର ନେବାକୁ ଚିନ୍ତା କରୁଥିଲି, କିନ୍ତୁ ଜନସାଧାରଣଙ୍କ ଚାହିଦା ହେତୁ ମୁଁ ରାଜନୀତିରେ ଅଛି। ନିଜର ସଂଗଠନ ତିଆରି ପାଇଁ ସମୟ ଲାଗିଥାଏ। ମୁଁ ମୋର ମତ ପୂର୍ବରୁ ପ୍ରକାଶ କରିଥିଲି।

ଚମ୍ପାଇଙ୍କ ଭାଜପାରେ ସାମିଲ ହେବା ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାଇଁ ଏକ ବଡ ଝକା ବୋଲି ବିବେଚନା କରାଯାଉଛି। ଏଥି ସହିତ ଚମ୍ପାଇ ସୋରେନଙ୍କୁ ଏକ ବଡ ଆଦିବାସୀ ନେତା ଭାବରେ ଦଳରେ ସାମିଲ କରିବାକୁ ଭାଜପା ଉତ୍ସାହିତ ଅଛି।

ପ୍ରାୟ ଏକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚମ୍ପାଇ ସୋରେନ ସୋମବାର (୨୬ଅଗଷ୍ଟ) କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଥିଲେ। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ସମୟର ଏକ ଫଟୋ ଶେୟାର କରି ହିମନ୍ତ କହିଥିଲେ, ଆମ ଦେଶର ଭେଟେରାନ ଆଦିବାସୀ ନେତା ଚମ୍ପାଇ ସୋରେନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ। ସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେବେ।

Share