ସକାଳେ ଫେରାର, ସନ୍ଧ୍ୟାରେ ଫେରିଲେ

ରାଜଗାଙ୍ଗପୁର,୩।୫: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌର ପରିଷଦ ପକ୍ଷରୁ ସହରର କମ୍ୟୁନିଟି ସେଣ୍ଟରରେ କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଛି। ସୋମବାର ସକାଳେ ଏହି କ୍ୱାରେନଣ୍ଟାଇନ ସେଣ୍ଟରରୁ ୧୧ଜଣ ପ୍ରବାସୀ ଫେରାର ହୋଇ ଯାଇଥିଲେ। ପୁଣି ସନ୍ଧ୍ୟାରେ ସେମାନେ ଫେରି ଆସିଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ରାଜ୍ୟ ବାହାରୁ ଆସିଥିବା ୧୭ ଜଣ ପ୍ରବାସୀ ରାଜଗାଙ୍ଗପୁର ରେଳ ଷ୍ଟେଶନରେ ଓହ୍ଲାଇବା ପରେ ଦାୟିତ୍ୱରେ ଥିବା ପୌର କର୍ମଚାରୀ ଓ ରାଜଗାଙ୍ଗପୁର ଜିଆର୍‌ପି ପୋଲିସ ସେମାନଙ୍କୁ କ୍ବାରାଣ୍ଟାଇନ ସେଣ୍ଟରକୁ ଆଣିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ୧୭ ଜଣଙ୍କ ମଧ୍ୟରୁ ୭ଜଣ ପୁରୁଷ ଓ ୩ ଜଣ ମହିଳା କୌଶଳ କ୍ରମେ ସେଣ୍ଟରରୁ ଚମ୍ପଟ ମାରିଥିଲେ। ଏହି ଘଟଣା ପ୍ରଘଟ ପରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଆମ୍ବୁଲାନ୍ସ ଧରି ସେମାନଙ୍କୁ ଖୋଜିବା ପାଇଁ ବାହାରି ଯାଇଥିଲେ। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ପଣ୍ଡାଙ୍କୁ ପଚାରିବାରୁ ଯେଉଁମାନେ କ୍ବାରାଣ୍ଟାଇନ ସେଣ୍ଟରରୁ ପଳାଇଥିଲେ ସେମାନଙ୍କୁ ପୁଣି ସନ୍ଧ୍ୟାରେ ଫେରାଇ ଅଣାଯାଇଥିବା ପ୍ରକାଶ କରିଛନ୍ତି। ରାଜଗାଙ୍ଗପୁର ସହରରେ କରୋନାର ପ୍ରାଦୁର୍ଭାବ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏଭଳି ଘଟଣା ଚିନ୍ତା ବଢାଇଛି।

Share