Categories: ଜାତୀୟ

ଐତିହାସିକ ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ

ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ୍‌ ବିଧାନସଭା ଉପ-ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଐତିହାସିକ ବିଜୟ ହାସଲ କରିଛନ୍ତି। ଭାଜପା ପ୍ରାର୍ଥୀ ଧାମି ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗେହତୋଡି, ଏସପି ପ୍ରାର୍ଥୀ ମନୋଜ କୁମାର ଏବଂ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଗରକୋଟିଙ୍କୁ ପଛରେ ପକାଇ ଏହି ବିଜୟ ହାସଲ କରିଛନ୍ତି। ଧାମିଙ୍କ ଏହି ବିଜୟ ସହିତ ଭାଜପା ଶିବିରରେ ଖୁସିର ବାତାବରଣ ରହିଛି। ଭାଜପା କର୍ମୀମାନେ ବାଜା ବଜାଇ ବିଜୟ ଉତ୍ସବ ପାଳନ କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥି ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଜୟ ପାଇଁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଚମ୍ପାୱାତ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।
ସୂଚନାଯୋଗ୍ୟ, ଫେବୃଆରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଉତ୍ତରାଖଣ୍ଡ ବିଧାନସଭାରେ ୭୦ଟି ଆସନ ମଧ୍ୟରୁ ୪୭ଟି ଜିତି ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଥିଲା। କିନ୍ତୁ ବିଜୟର ନେତୃତ୍ୱ ନେଇଥିବା ଧାମି ଖାତିମା ଆସନରୁ ହାରିଯାଇଥିଲେ। କିନ୍ତୁ ଭାଜପା ପୁଣି ଥରେ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ତେବେ, ଧାମିଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟ ଭାବରେ ନିର୍ବାଚିତ ହେବା ଏକ ସାମ୍ବିଧାନିକ ବାଧ୍ୟତାମୂଳକ ଏବଂ ସେଥିପାଇଁ ତାଙ୍କୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା।

Share