Categories: ଖେଳ

ସଡନ୍‌ଡେଥ୍‌ରେ ହାରିଲା ଚାମ୍ପିୟନ ଆମେରିକା

ସିଡ୍‌ନୀ,୭ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ରବିବାର ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍‌। ଅନ୍ୟପକ୍ଷରେ ବିଗତ ସଂସ୍କରଣର ରନର ଅପ୍‌ ନେଦରଲାଣ୍ଡ୍ସ ୨-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

ଡିଫେଣ୍ଡିଂ ଚାମ୍ପିୟନ ବିଦା : ଡିଫେଣ୍ଡିଂ ଚାମ୍ପିୟନ ଆମେରିକାକୁ ସଡନ୍‌ ଡେଥ୍‌ରେ ୫-୪ ଗୋଲରେ ପରାସ୍ତ କରିଛି ସୁଇଡେନ୍‌ । ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୦-୦ ରହିଥିଲା। ଅତିରିକ୍ତ ୩୦ ମିନିଟରେ ମଧ୍ୟ ଉଭୟ ଦଳ ପରସ୍ପର ବିପକ୍ଷରେ ସ୍କୋର କରିବାରେ ଅସମର୍ଥ ରହିଥିଲେ। ପେନାଲ୍ଟି ଶୁଟ୍‌ ଆଉଟକୁ ମ୍ୟାଚ ଯାଇଥିବା ବେଳେ ଏହା ମଧ୍ୟ ୩-୩ରେ ଅମୀମାଂସିତ ରହିଥିଲା। ସଡନ୍‌ ଡେଥ୍‌ରେ ମ୍ୟାଚ୍‌ ଫଇସଲା ହୋଇଥିବା ବେଳେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ସୁଇଡେନ୍‌ ବିଶ୍ୱ ମାନ୍ୟତାର ଏକ ନମ୍ବର ଦଳ ଆମେରିକାକୁ ପରାସ୍ତ କରିଛି। ପେନାଲ୍ଟି ଶୁଟ୍‌ ଆଉଟରେ ଆମେରିକା ପକ୍ଷରୁ ଆଣ୍ଡି ସୁଲିଭାନ୍‌, ଲିଣ୍ଡସେ ହୋରାନ୍‌, କ୍ରିଷ୍ଟି ମଓ୍ବେିସ୍‌ ସ୍କୋର କରିଥିବା ବେଳେ ଷ୍ଟାର ଖେଳାଳି ମେଗାନ୍‌ ରାପିନୋ ଓ ସୋଫିଆ ସ୍ମିଥ୍‌ ବିଫଳ ହୋଇଥିଲେ। ସେହିପରି ସୁଇଡେନ୍‌ ପକ୍ଷରୁ ଫ୍ରିଡୋଲିନା ରୁଲ୍‌ଫୋ, ଏଲିନ୍‌ ରୁବେନ୍‌ସନ୍‌ ଓ ହାନ୍ନା ବେନିସନ୍‌ ସ୍କୋର କରିଥିବା ବେଳେ ନାତାଲି ବୋର୍ନ ଓ ରେବେକା ବ୍ଲୋମକୋଭେଷ୍ଟଙ୍କ ଶଟ୍‌ ପୋଷ୍ଟ ବାହାରକୁ ଯାଇଥିଲା। ସଡନ୍‌ ଡେଥ୍‌ରେ ଆମେରିକୀୟ ଗୋଲ୍‌କିପର ଆଲିସିଆ ନାହେର ସ୍କୋର କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ମାଗଡାଲେନା ଏରିକ୍‌ସନ୍‌ ସ୍କୋର କରିଥିଲେ। କେଲେଓ ହାରାଙ୍କ ଶଟ୍‌ ବାର୍‌ରେ ବାଜି ଫେରି ଆସିବାରୁ ଆମେରିକା ଶଟ୍‌ ମିସ୍‌ କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ବିଜୟ ସୂଚକ ଗୋଲ ଦେଇଥିଲେ ଲିନା ହର୍ଟିଗ୍‌। ନିର୍ଦ୍ଧାରିତ ସମୟର ଖେଳରେ ଆମେରିକା ୫୮ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା। ଆମେରିକା ଖେଳାଳି ୨୨ଟି ଶଟ୍‌ ମାରିଥିବା ବେଳେ ଏଥିରୁ ୧୧ଟି ଟାର୍ଗେଟରେ ମଧ୍ୟ ରହିଥିଲା। ତେବେ ସୁଇଡେନ୍‌ ଗୋଲକିପର ଜେକିରା ମୁସୋଭିକ୍‌ ଏହାକୁ ରୋକିବାରେ ସମର୍ଥ ହୋଇଥିଲେ। ସୁଇଡେନ୍‌ କ୍ୱାର୍ଟର ଫାଇନାଲରେ ଜାପାନକୁ ଭେଟିବ।

ଆମେରିକା ଇତିହାସର ଖରାପ ପ୍ରଦର୍ଶନ: ଆମେରିକା ଫୁଟବଲ ଇତିହାସରେ ଏହା ସବୁଠାରୁ ଖରାପ ପ୍ରଦର୍ଶନ। ୪ ଥର ଟାଇଟଲ ଜିତି ସାରଥିବା ଆମେରିକା ପ୍ରଥମ ଥର ପାଇଁ ସେମି ଫାଇନାଲ ପ୍ରବେଶରେ ବିଫଳ ହୋଇଛି।
କ୍ୱାର୍ଟରରେ ନେଦରଲାଣ୍ଡ୍ସ: ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ଦକ୍ଷିଣ ଆଫ୍ରିକାକୁ ୨-୦ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି ନେଦରଲାଣ୍ଡ୍ସ। ଦଳ ପକ୍ଷରୁ ଜିଲ୍‌ ରୁର୍ଡ ମ୍ୟାଚ୍‌ର ନବମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଲିନେଥ୍‌ ବିରନ୍‌ଷ୍ଟେନ୍‌ ଦ୍ୱିତୀୟ ଗୋଲ ଦେଇଥିଲେ।

Share