ଦୁବାଇ,୧୫।୧୧:: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ୍ ଟ୍ରଫି ସହିତ ପୁରସ୍କାରରେ କୋଟି କୋଟି ଟଙ୍କା ପାଇଛି। ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୧.୬ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୨ କୋଟି ଟଙ୍କା ମିଳିଛି। ଫାଇନାଲରେ ପରାଜୟ ସତ୍ତ୍ୱେ ନ୍ୟୁଜିଲାଣ୍ଡ ଦଳ ଉପରେ ମଧ୍ୟ ଧନ ବର୍ଷା ହୋଇଛି।
ନ୍ୟୁଜିଲାଣ୍ଡ ଦଳକୁ ୬ କୋଟି ଟଙ୍କା ମିଳିଛି। ସେମିଫାଇନାଲରେ ହାରିଥିବା ଇଂଲଣ୍ଡ ଏବଂ ପାକିସ୍ତାନ ଦଳକୁ ୩ କୋଟି ଟଙ୍କା ପୁରସ୍କାର ମିଳିଛି। ଆଇପିଏଲର ପୁରସ୍କାର ରାଶି ଟି -୨୦ ବିଶ୍ୱକପ ପରି ଟୁର୍ନାମେଣ୍ଟ ଅପେକ୍ଷା ବହୁତ ଅଧିକ। ଚଳିତ ବର୍ଷ ୟୁଏଇରେ ଆଇପିଏଲ ଟୁର୍ନାମେଣ୍ଟର ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୨୦ କୋଟି ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏଥି ସହିତ ଫାଇନାଲରେ ହାରିଥିବା କୋଲକାତା ନାଇଟ ରାଇଡର୍ସ ଦଳ ୧୨.୫ କୋଟି ଟଙ୍କା ପାଇଛି, ଯାହା ଟି -୨୦ ବିଶ୍ୱକପ ବିଜେତା ପୁରସ୍କାରଠାରୁ ଅଧିକ।