Advertisement

ଚାଣକ୍ୟ ହସ୍ପିଟାଲ ସିଲ୍‌

କଟକ,୭ା୭(ଶିଳ୍ପା ପ୍ରିୟଦର୍ଶିନୀ)କଟକ ରାଣୀହାଟ ଅଞ୍ଚଳରେ ଥିବା ଚାଣକ୍ୟ ହସ୍ପିଟାଲକୁ ଶନିବାର ସିଲ୍‌ କରାଯାଇଛି। ଜାତୀୟ ମାନବାଧିକାର କମିଶନ୍‌(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଉକ୍ତ ହସ୍ପିଟାଲର ରେଜିଷ୍ଟ୍ରେଶନ ଅବଧି ୨୦୧୫ରୁ ଶେଷ ହୋଇଥିବାବେଳେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନ ଥିବା ଜଣାପଡିଥିଲା। ତେଣୁ ଉକ୍ତ ହସ୍ପିଟାଲକୁ ସିଲ୍‌ କରାଯାଇଛି। ଏନେଇ କଟକର ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ଚିନ୍ତାମଣି ମିଶ୍ର କହିଛନ୍ତି, ଉକ୍ତ ହସ୍ପିଟାଲର ରେଜିଷ୍ଟ୍ରେଶନ ଅବଧି ଶେଷ ହୋଇଛି। ଏଥିସହ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନାହିଁ। ସେହିପରି ଅତିରିକ୍ତ ଜିଲାପାଳ ଦିବ୍ୟଲୋଚନ ମହାନ୍ତ କହିଛନ୍ତି, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନ ଥିବା ଓ ବିନା ରେଜିଷ୍ଟ୍ରେଶନରେ କଟକ ସହରରେ ଅନେକ ହସ୍ପିଟାଲରେ ରୋଗୀ ଚିକିତ୍ସା କରାଯାଉଛି। ଏହାକୁ ଚିହ୍ନଟ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏଭଳି ହସ୍ପିଟାଲ ସମ୍ପର୍କରେ ଯଦି କୌଣସି ଖବର ମିଳେ ତୁରନ୍ତ ସେଠାରେ ଚଢ଼ାଉ କରାଯିବ। ଅପରପକ୍ଷରେ ଚାଣକ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଦୀପ୍ତ କୁମାର ବରାଳ କହିଛନ୍ତି, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ କରିଛୁ। ହେଲେ ଏହା ମିଳିବାରେ ବିଳମ୍ବ ହୋଇଛି। ଶନିବାର ଅଗ୍ନି ନିରାପତ୍ତା ଟିମ୍‌ ହସ୍ପିଟାଲକୁ ଆସି ଯାଞ୍ଚ କରିବାକୁ ଥିବାବେଳେ ଏହା ପୂର୍ବରୁ ପ୍ରଶାସନର ଟିମ୍‌ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ଅଧିକାରୀ, ଜୋନ୍‌ ଏସିପି ଗିରିଶ ଚକ୍ରବର୍ତ୍ତୀଙ୍କ ସମେତ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବାବଲପୁରର କିଶୋର ଚନ୍ଦ୍ର ଦାଶ(୪୭) ସାମାନ୍ୟ ଦୁର୍ଘଟଣାର ଶିକାର ହୋଇ ଚାଣକ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଅବହେଳାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଅପରପକ୍ଷରେ ଏହି ହସ୍ପିଟାଲ ବିନା ରେଜିଷ୍ଟ୍ରେଶନରେ ଚାଲୁଥିବା ଜଣାପଡ଼ିଥିଲା। ହାଇକୋର୍ଟ ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ଶ୍ରୀ ଅଖଣ୍ଡ ମିଳିତ ଭାବେ ଏନ୍‌ଏଚ୍‌ଆର୍‌ସିରେ ଏନେଇ ମାମଲା ଦାଏର କରିଥିଲେ। ଏହି ଅଭିଯୋଗକୁ ଏନ୍‌ଏଚ୍‌ଆର୍‌ସି ଗୁରୁତର ସହିତ ବିଚାର କରି ଉକ୍ତ ହସ୍ପିଟାଲ ସହ ବିନା ଲାଇସେନ୍ସରେ ଚାଲିଥିବା ଅନ୍ୟ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share