୧୩ ଜିଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ବାତ୍ୟା ମାଣ୍ଡୋସ ଯୋଗୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଭରି ରହିଛି। ଏଥିଯୋଗୁ ରାତ୍ରିର ତାପମାତ୍ରାରେ ୨ରୁ ୪ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, କଟକ ଓ ଢେଙ୍କାନାଳ ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଗତ ଦୁଇ ଦିନର ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳ ୧୪.୨, କୋରାପୁଟ ୧୪.୮, ଝାରସୁଗୁଡ଼ା ୧୫, ବାରିପଦା ୧୫.୬, ବାଲେଶ୍ୱର ୧୫.୮, ଦାରିଙ୍ଗବାଡ଼ି ୧୬, ଫୁଲବାଣୀ ୧୭.୫, ଭଦ୍ରକ ୧୬, ବଲାଙ୍ଗୀର ୧୫.୮, ସୁନ୍ଦରଗଡ଼ ୧୩.୨, ଝାରସୁଗୁଡ଼ାରେ ୧୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି।

Share