୨୧ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଶନିବାର ସୂଚନା ଦେଇଛି। ଏହାର ପ୍ରଭାବରେ ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
୧୮ ତାରିଖରେ ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଏବଂ ୧୯ରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କଟକରେ ପ୍ରବଳ ବର୍ଷା ହେବ। ଏହି ଦୁଇଦିନ ବିଭିନ୍ନ ଜିଲାକୁ ବଜ୍ରପାତ ମଧ୍ୟ ହେବ। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୦ ତାରିଖରେ କୋରାପୁଟ, ମାଲାକାନଗିରି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବ। ୨୧ରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ଏବଂ ଯାଜପୁର, ଭଦ୍ରକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଶନିବାର କୋରାପୁଟରେ ସର୍ବାଧିକ ୪୦.୮ ମିମି ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ମଧ୍ୟ ଏହି ଲଘୁଚାପ ସୃଷ୍ଟି ସମ୍ପର୍କରେ ସ୍ପଷ୍ଟ କରିଛି। ସ୍କାଏମେଟର ସୂଚନାନୁସାରେ, ଆସନ୍ତା ୨୦ ତାରିଖବେଳକୁ ଉତ୍ତର ବଙ୍ଗୋପସାଗର, ନିକଟବର୍ତ୍ତୀ ବାଂଲାଦେଶ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେଶନ ସୃଷ୍ଟି ହେବ। ୨୧ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କରାଇବ। ଏହାଦ୍ୱାରା ଦେଶରେ ଦୁର୍ବଳ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହେବ। ଏହାର ପ୍ରଭାବରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ବର୍ଷା ହେବ ବୋଲି ସ୍କାଏମେଟ୍‌ ଆକଳନ କରିଛି।

Share