୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, କେନ୍ଦୁଝର, ଗଞ୍ଜାମ ଏବଂ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୋନପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ। ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ସର୍ବାଧିକ ୪୮.୩ ମିଲିମିଟର ବର୍ଷା ହୋଇଛି। ସେହିପରି କଟକରେ ୩୭.୨, ପାରାଦୀପରେ ୧୨.୯, ଭୁବନେଶ୍ୱରରେ ୯.୨, ଗୋପାଳପୁରରେ ୧୯.୮, ପୁରୀରେ ୪୩.୩, ହୀରାକୁଦରେ ୨୧.୭, ତାଳଚେରରେ ୨୭, ଭବାନୀପାଟଣାରେ ୨୭, ବଲାଙ୍ଗୀରରେ ୩୮, ଫୁଲବାଣୀରେ ୧୦.୨, ମାଲକାନଗିରିରେ ୨୨, ଟିଟିଲାଗଡ଼ ୧୬.୪ ଏବଂ ନୟାଗଡ଼ରେ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share