ଆଜି ୧୩ ଜିଲାରେ ବର୍ଷା ସମ୍ଭାବନା: ୧୫ ପର୍ଯ୍ୟନ୍ତ ବିଶେଷ ବଦଳିବନି ପାଣିପାଗ

ଭୁବନେଶ୍ୱର,୯।୧୦(ଅନୁରାଧା ମହାରଣା):ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ପୂର୍ବାଳି ବାୟୁ ପ୍ରଭାବରେ ରାଜ୍ୟକୁ କ୍ରମାଗତ ଜଳୀୟବାଷ୍ପ ପ୍ରବେଶ କରୁଛି। ଏହା ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ଏବଂ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛି। ପାଣିପାଗ ବିଶେଷଜ୍ଞ ଲକ୍ଷ୍ମୀକାନ୍ତ ଗିରି ଏନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହୋଇ ନ ପାରେ। ବୁଧବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସହ କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୋଳ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଆଦି ଜିଲାର କିଛି ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟର ଅନ୍ୟସ୍ଥାନରେ ପାଗ ପ୍ରାୟ ଶୁଖିଲା ରହିବ। ଅନ୍ୟପଟେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ଢ଼େଙ୍କାନାଳ, ଯାଜପୁର ଆଦି ୧୩ ଜିଲାକୁ ବିଜୁଳି ସହ ଘଡ଼ଘଡ଼ି ଭୟ ରହିଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।