୬ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨।୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲାଗୁଡ଼ିକ ହେଲା ମାଲକାନଗିରି, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, କୋରାପୁଟ ଓ କେନ୍ଦୁଝର। ତେବେ ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, କଟକ, ଦେବଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ଖୋର୍ଦ୍ଧା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ରହିଛି।  ଅଧା ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୧୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୫୭୩.୪ ମିଲିମିଟର ହେବା ଜାଗାରେ ହୋଇଛି ୪୭୮.୮ ମିଲିମିଟର ।

ତେବେ ଅଗଷ୍ଟ ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇପାରେ। ଲଘୁଚାପ ପ୍ରଭାବରେ ଅଗଷ୍ଟ ୩ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହୋଇପାରେ। ଅଗଷ୍ଟ ୪ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି । ବିଶେଷକରି କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

Share