ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ତେବେ ବିହାର ଏବଂ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂଭରଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ବାଲେଶ୍ୱର, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣି ପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ମୌସୁମୀ ଦୁର୍ବଳ ରହୁଥିବାରୁ ରାଜ୍ୟରେ ବର୍ଷା ପରିମାଣ ବହୁ ମାତ୍ରାରେ ହ୍ରାସ ପାଇଛି। ରାଜ୍ୟରେ ୧୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଜୁଲାଇ ୨୭ ତାରିଖ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୫୧୧.୬ ପ୍ରତିଶତ ବର୍ଷା ହେବାକୁ ଥିବା ବେଳେ ହୋଇଛି ୪୫୮.୪ ପ୍ରତିଶତ। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବାଲେଶ୍ୱରରେ ୩୧.୪ ମିଲିମିଟର ବର୍ଷା ହୋଇଥିବା ବେଳେ ରାୟଗଡ଼ା ୪୩, ନୟାଗଡ଼ ୨୦, ଭବାନୀପାଟଣା ୫.୦, ସୋନପୁର ୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share