ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଗାଜା ସିଟି,୧୩ା୫: ଜେରୁଜେଲମ୍‌କୁ ନେଇ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ ଚରମପନ୍ଥୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି। ପାଲେଷ୍ଟାଇନ୍‌ ଚରମପନ୍ଥୀମାନେ ୧ ହଜାରରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଛନ୍ତି। ଆକାଶମାର୍ଗରୁ ଇସ୍ରାଏଲର ଆକ୍ରମଣରେ ଗାଜାର ଦୁଇଟି ଟାଓ୍ବାର ବ୍ଲକ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଇତିମଧ୍ୟରେ ଇସ୍ରାଏଲ୍‌ର ଅନେକ ସହରରେ ହିଂସାମତ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେଲ୍‌ ଆବିଭ ନିକଟ ଲଡ୍‌ ସହରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏହି ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସୋମବାର ହୋଇଥିବା ଆକ୍ରମଣରେ ୪୩ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୩ ଶିଶୁ ଅଛନ୍ତି। ଏଥିରେ ୬ ଇସ୍ରାଏଲ୍‌ ନାଗରିକଙ୍କ ଜୀବନ ମଧ୍ୟ ଯାଇଛି। ଏହି ସମସ୍ତ ହିଂସା ପୂର୍ବ ଜେରୁଜେଲମ୍‌ ସ୍ଥିତ ଅଲ୍‌ ଅକ୍ସା ମସ୍‌ଜିଦ ହିଂସା ପରେ ଦେଖିବାକୁ ମିଳିଛି। ଅଲ୍‌ ଅକ୍ସା ମସ୍‌ଜିଦକୁ ଉଭୟ ମୁସଲମାନ ଓ ଇହୁଦୀ ପବିତ୍ର ସ୍ଥଳ ମନେକରନ୍ତି। ଇସ୍ରାଏଲ୍‌ ସେନା କହିଛି ଯେ, ଗାଜା ପକ୍ଷରୁ ୧୫୦୦ ରକେଟ ଓ ମୋର୍ଟାର ସେଲ୍‌ ଛଡ଼ାଯାଇଛି। ଏଥିରୁ ୮୫୦ ଇସ୍ରାଏଲ୍‌ରେ ପଡ଼ିଛି। ୨୦୦କୁ ଇସ୍ରାଏଲ୍‌ର ଡୋମ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ନିଷ୍କ୍ରିୟ କରିଦେଇଛି। ସ୍ଥିତି ବାହାରକୁ ଚାଲିଯିବା ଆଶଙ୍କା ବ୍ୟକ୍ତ କରି ଅନ୍ତର୍ଜାତୀୟ ସମୁଦାୟ ଉଭୟ ପକ୍ଷଙ୍କୁ ଉତ୍ତେଜନା ହ୍ରାସ ପାଇଁ ପରାମର୍ଶ ଦେଇଛି। ଜାତିସଂଘର ମଧ୍ୟପୂର୍ବ ଶାନ୍ତି ରାଷ୍ଟ୍ରଦୂତ ଟୋର ବେନେସ୍‌ଲେଣ୍ଡ କହିଛନ୍ତି, ଉଭୟ ପକ୍ଷ ଏହାକୁ ବ୍ୟାପକ ଯୁଦ୍ଧ ଆଡ଼କୁ ଟାଣିନେଉଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍‌ର ଲଡ୍‌ ସହରରେ ଇସ୍ରାଏଲୀ ଆରବୀୟମାନେ ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ଉପରକୁ ଟେକାମାଡ଼ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଗ୍ରେନେଡ୍‌ ମାଡ଼ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଲଡ୍‌ରେ ଏମର୍ଜେନ୍ସି ଘୋଷଣା କରିଛନ୍ତି। ୧୯୬୬ ପରେ ସରକାର ଆରବ ସମୁଦାୟ ବିରୋଧରେ ଜରୁରିକାଳୀନ ଅଧିକାରୀଙ୍କୁ ପ୍ରଥମ ଥର ପାଇଁ ବ୍ୟବହାର କରିଛନ୍ତି।

Share