ଦାରିଙ୍ଗବାଡି,୧୧।୩ (ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡି ବ୍ଲକର ୨୫୪ ବିଦ୍ୟାଳୟରୁ ବିଦ୍ୟାଳୟ ପିଛା ଗୋଟିଏ ଲେଖାଏଁ ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ରାଜ୍ୟ ସରକାର ଦାରିଙ୍ଗବାଡି ବ୍ଲକ ପାଇଁ ୪.୫୪ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ମାତ୍ର ଏହି ଅର୍ଥ ଆତ୍ମସାତ ହୋଇଥିବା ଏବଂ ଆବଶ୍ୟକ ଖର୍ଚ୍ଚ ବଦଳରେ ତାକୁ ତୋସାରପାତ କରିବାକୁ ଉଦ୍ୟମ କରାଯାଉଥିବା ଏବେ ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ବ୍ଲକ ଅଞ୍ଚଳରେ ୨୫ ପଞ୍ଚାୟତରେ ରହିଥିବା ପ୍ରାୟ ୨୫୪ ବିଦ୍ୟାଳୟରୁ ୨୩୪ ଜଣ ଛାତ୍ରୀଛାତ୍ରଙ୍କୁ ଭୁବନେଶ୍ୱର ବୁଲାଇବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ବିଇଓଙ୍କ କାର୍ଯ୍ୟାଳୟରୁ ୪ ଘରୋଇ ବସ୍କୁ ଭଡା ସୂତ୍ରରେ ନିଆଯାଇଥିଲା। ଏଥିରେ ଗାଇଡ଼ କରିବାକୁ ବ୍ଲକର ସମସ୍ତ ପଞ୍ଚାୟତର ସିଆରସିସି, ପ୍ରାୟ ୧୦ ଜଣ ଶିକ୍ଷୟିତ୍ରୀ, ଜଣେ ଆକାଉଣ୍ଟାଣ୍ଟ, ଏବିଇଓ ଓ ସମସ୍ତଙ୍କ ପାଇଁ ରୋଷେଇକରି ଖାଦ୍ୟ ପରିବେଷଣ ପାଇଁ ରୋଷେୟା ମିଶି ପ୍ରାୟ ୩ ଶହ ଜଣ ୪ଟି ବସରେ ଯାତ୍ରା କରିଥିଲେ। ତେବେ ଏତେଜଣ ଯାତ୍ରୀଙ୍କୁ ୪ଟି ବସ୍ରେ ଭିଡ ଭିତରେ ଗୁଞ୍ଜାଗୁଞ୍ଜିରେ ଯାତ୍ରା କରିଥିବା ବେଳେ ସେମାନଙ୍କୁ ନନ୍ଦନକାନନ ଓ ବାଟରେ ପଡୁଥିବା ଅଟ୍ରିକୁ ବୁଲାଇ ଘରକୁ ଅଣାଯାଇଥିଲା । ସମୟର ଅଭାବ ଦର୍ଶାଇ ଛାତ୍ରୀଛାତ୍ର ମାନଙ୍କୁ ରାଜ୍ୟ ସଂଗ୍ରାହଳୟ ଏବଂ ଅଡିଟୋରିୟମକୁ ନିଆଯାଇ ନ ଥିବା ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଅଧିକା ବୁଲିଲେ ବସ୍ର ଭଡା ଅଧିକା ହେବା ଆଶଙ୍କାରେ ଏଭଳି ସମସ୍ତସ୍ଥାନରୁ ଛାତ୍ରୀଛାତ୍ରଙ୍କୁ ବଞ୍ଚିତ କରାଯିବା ପଛରେ ବିଇଓ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀଙ୍କୁ କଣ ଫାଇଦା ମିଳିଲା ବୋଲି ଆଲୋଚନା ହେଉଛି।
ଏ ନେଇ ବିଇଓ ହାଡ଼ିବନ୍ଧୁ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ବିଆରସିସି ତଥା ଏବିଇଓ ଗୋକୁଳାନନ୍ଦ ନାୟକଙ୍କୁ ପଚାରିବୁଝିବାରୁ ସେ ପାଖାପାଖି ୩ ଶହ ଛାତ୍ରୀଛାତ୍ର ଓ କର୍ମଚାରୀ ଯାଇଥିବା ସ୍ବିକାର କରିବା ସହ ଏହାର ଦାୟିତ୍ୱ ଆକାଉଣ୍ଟାଣ୍ଟ ନେଇଥିବା କହିଥିଲେ। କେତେ ଖର୍ଚ୍ଚ କରାଯାଇଛି ସେ ସମ୍ପର୍କରେ ହିସାବ କରାଯାଇ ନ ଥିବା ସେ କହଛନ୍ତି।
ବସରେ ଅଧିକା ଯାତ୍ରୀ ନେଇଥିବା ସମ୍ପର୍କରେ କନ୍ଧମାଳ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର ସାହୁଙ୍କୁ ପଚାରିବାରୁ ଏଭକି ଆବଶ୍ୟକତା ଠାରୁ ଅଧିକା ପରିବହନ ଆଇନର ଉଲଘଂନ ବୋଲି କହିବା ସହ ଏବେ ପ୍ରଚଣ୍ଡ ଗରମ ଯୋଗୁଁ ଗାଡି ଚାଳକଙ୍କୁ ଆମେ ସଚେତନ କରୁଛୁ ଏଭଳି ଅଧିକା ଯାତ୍ରୀ ନେଇ ଯିବା ଘଟଣାରେ ସେ ଉଦବେଗ୍ ପ୍ରକାଶ କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।