ମାତାପିତାଙ୍କୁ କାନ୍ଧରେ ଧରି କାଉଡି ଯାତ୍ରାରେ ବାହାରିଲେ ବୋହୂ-ପୁଅ

ଭାଗଲପୁର,୧୯।୭: ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ରାସ୍ତାରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି। ଦୁଇ ବର୍ଷ ପରେ ଏଥର ମଧ୍ୟ ଝାଡଖଣ୍ଡର ଦେଓଘରରେ ବିଶ୍ୱ ପ୍ରସିଦ୍ଧ ଶ୍ରାବଣୀ ମେଳା ଆୟୋଜିତ ହୋଇଛି। ଏହି ମେଳାରେ ଯୋଗ ଦେବା ପାଇଁ ଅନେକ କାଉଡିଆଙ୍କ ଭିଡ ଜମିଛି। ସୁଲତାନଞ୍ଜର ଅଜଗଇବନାଥ ଗଙ୍ଗା ଘାଟରେ ମଧ୍ୟ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କଳିଯୁଗର ‘ଶ୍ରବଣ କୁମାର’ ମାତାପିତାଙ୍କୁ ଭାର ସାହାଯ୍ୟରେ କାନ୍ଧରେ ବସାଇ ଭୋଲେ ବାବାଙ୍କ ଦର୍ଶନ କରାଇବା ପାଇଁ ଦେଓଘର ନେଇ ଯାଇଥିଲେ। ସବୁଠୁ ରୋଚକ କଥା ହେଉଛି, ଏହି ଯାତ୍ରାରେ ତାଙ୍କ ସ୍ତ୍ରୀ ରାଣୀ ଦେବୀ ମଧ୍ୟ ସାହାଯ୍ୟ କରିଥିଲେ।
ବାବା ଭୋଲେନାଥଙ୍କ ଦର୍ଶନ ପାଇଁ ମାତାପିତାଙ୍କୁ ଦେଓଘରକୁ ନେଇ ଯାଉଥିବା ଚନ୍ଦନ କୁମାର କହିଛନ୍ତି,ଦିନେ ମୋ ମନକୁ ଆସିଲା କି ପିତା ଜଗନ୍ନାଥ ସାହା ଏବଂ ମାତା ମୀନା ଦେବୀଙ୍କୁ କାନ୍ଧରେ ବସାଇ ତୀର୍ଥଯାତ୍ରା କରିବାକୁ ନେବି। କିନ୍ତୁ ଅଧିକ ଭାରୀ ହୋଇଯିବା ଭାବି ସେମାନେ ପ୍ରଥମେ ଏଥିପାଇଁ ରାଜି ହୋଇ ନ ଥିଲେ। ବହୁତ ବୁଝାଇବା ପରେ ଶେଷରେ ରାଜି ହୋଇଥିଲେ। ମାତାପିତାଙ୍କ ସେବାଠାରୁ କୌଣସି ଧର୍ମ କିମ୍ବା ପୂଜା ନାହିଁ। ସେହିପରି ରାଣୀ ଦେବୀ କହିଛନ୍ତି,ଏହି ଯାତ୍ରାରେ ମୋ ସ୍ବାମୀଙ୍କୁ ମୁଁ ସମ୍ପୂର୍ଣ୍ଣ ସମର୍ଥନ ଦେଉଛି। ମୁଁ ମୋ ଶାଶୁ-ଶ୍ୱଶୂରଙ୍କ ପାଇଁ ଗୋଟିଏ ଝିଅ ପରି। ତେଣୁ ମୁଁ ମୋ କର୍ତ୍ତବ୍ୟ ସମ୍ପାଦନ କରୁଛି।
ମାତାପିତାଙ୍କୁ ଭାର ସାହାଯ୍ୟରେ କାନ୍ଧରେ ବସାଇ ସୁଲତାନଗଞ୍ଜରୁ ପାଣି ଉଠାଇ ଦେଓଘର ନେଇଯାଇଥିଲେ ଚନ୍ଦନ ଏବଂ ରାଣୀ ଦେବୀ। ପ୍ରାୟ ୧୦୫ କିମି ବାଟ ଉଭୟ ଚାଲିଥିଲେ। ବାଟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ଚନ୍ଦନଙ୍କ ମାତାପିତା କହିଛନ୍ତି, ବାବା ଭୋଲେନାଥ ସମସ୍ତଙ୍କୁ ମୋ ପୁଅ ଭଳି ପୁଅ ଦିଅନ୍ତୁ ଏତିକି ପ୍ରାର୍ଥନା।

Share