ସରିଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର,୧ା୬(ସୁବାସ ଚନ୍ଦ୍ର ପ୍ରଧାନ): ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଛି। ଶୁକ୍ରବାର ଦୈନିକ ନୀତି ଭୋଗମଣ୍ଡପ ସରିବା ପରେ ଚନ୍ଦନ ବେଢ଼ା ହୋଇଥିଲା। ପରେ ଠାକୁରଙ୍କ ବେଶ ହୋଇ ଯାତ୍ରାପୂଜା ହୋଇଥିଲା। ଏହାପରେ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ଶ୍ରୀଜୀଉମାନେ ବିନ୍ଦୁସାଗର କୂଳକୁ ଯାତ୍ରା କରିଥିଲେ। ଚାପଡଙ୍ଗାରେ ଠାକୁର ଠାକୁରାଣୀ ବସିବା ପରେ ଗତଦିନ ଭଳି ପୋଖରୀକୁଳ ମଠ ଘାଟ, ମୋହିନୀ ଘାଟ ଏବଂ ଆଖଡ଼ା ଚଣ୍ଡୀଙ୍କଠାରେ ଚାପଡଙ୍ଗାରେ ଥାଇ ଶ୍ରୀଜୀଉଙ୍କୁ ଭୋଗ ଏବଂ ଆଳତି କରାଯାଇଥିଲା। ଏହାପରେ ନାଉରିଆ ସେବାୟତମାନେ ୮ଥର ଚାପ ଡଙ୍ଗାକୁ ଭଉଁରି ଦେଇ ଅଷ୍ଟଶମ୍ଭୁଙ୍କ ନାମରେ ଜଗତିକୁ ଯାଇଥିଲେ। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା। ସୁଗନ୍ଧିତ ଜଳ ଏବଂ ଫୁଲରେ ସ୍ନାନପୂର୍ବକ ଚନ୍ଦନ କୁଣ୍ଡରେ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇଥିଲା। ପୁନଃ ଜଗତିରୁ ଚାପଡଙ୍ଗାକୁ ଆସିଥିଲେ ଶ୍ରୀଜୀଉ। ଅଷ୍ଟଚଣ୍ଡୀଙ୍କ ନାମରେ ଭଉଁରି କରାଯାଇ ବିଶ୍ରାମ ଘାଟକୁ ଆସିଥିଲେ। ଏହି ଅବସରରେ ଠାକୁର ଠାକୁରାଣୀଙ୍କ ଉପରେ ହଳଦୀ ପାଣି ସିଞ୍ଚନ କରାଯାଇଥିଲା। ଏହିପରି ଭାବେ ହଳଦୀ ପାଣି ନୀତି ସମ୍ପନ୍ନ ହେବା ସହ ଶ୍ରୀଜୀଉ ବିଶ୍ରାମ ଘାଟକୁ ଫେରିଥିଲେ। ସେଠାରେ ଅନ୍ୟାନ୍ୟ ନୀତି କରାଯାଇ ଶ୍ରୀଜୀଉ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ରଥଦାଣ୍ଡରେ ଥିବା ତିନି ନିଯୋଗରେ ମାଣ୍ଡୁଅ, କାକରା, ଚୂଡ଼ାଘଷା ଭୋଗ କରାଯାଇଥିଲା। ଏଥିସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୨ଦିନିଆ ଚନ୍ଦନ ଯାତ୍ରା ଶେଷ ହୋଇଥିଲା।