Advertisement

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ ହେଉଛି। ଏଥିନିମନ୍ତେ ଭାଗରାଇ ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ଼, ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଭୋଗରାଇ ତହସିଲଦାର ହିମାଂଶୁ ଶେଖର ଗିରିଙ୍କ ପୌରୋହିତ୍ୟରେ ଜିଲାପାଳ ଆଶିଷ ଠାକ୍‌ରେ, ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ, ଉପଜିଲାପାଳ ପ୍ରଥମେଶ୍ୱର ଅରବିନ୍ଦ ରାଜେଶିର୍କେ, ଅତିରିକ୍ତ ଜିଲାପାଳ ସୁଧାକର ନାୟକ, ବିଡ଼ିଓ ଉମାକାନ୍ତ ପରିଡା, ଏସ୍‌ଡ଼ିପିଓ ଦିଲୀପ କୁମାର ସାହୁ, ମୌରସୀ ତପନ କୁମାର ପଣ୍ଡା ପ୍ରମୁଖ ଚଡ଼କ ମେଳା ସମ୍ପର୍କିତ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ।

ଚଳିତ ବର୍ଷ ଉପବିତ୍‌ଧାରୀ ଭକ୍ତଙ୍କ ସକାଶେ ୧୦ ଟଙ୍କା ଟିକେଟ ବାବଦକୁ ରଖାଯାଇଛି। ଏହି ପ୍ରସିଦ୍ଧ ମେଳାକୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟଜଳ, ଶୌଚାଗାର, ସ୍ବଚ୍ଛତା, ଟ୍ରାଫିକ ନିୟନ୍ତ୍ରଣ, ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନରେ ବାରିକେଡ଼ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଏପ୍ରିଲ ପହିଲାରୁ ଚନ୍ଦନେଶ୍ୱର ଜୀଉଙ୍କ ରୁଦ୍ରାଭିଷେକ, ନୀତିକାନ୍ତି ପୂଜା, ମୌରସୀଙ୍କ ଆଜ୍ଞାମାଳ, ପଡ଼ାବାଉଁଶ ଛେଦନ, ଜୀଉଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ, ଦେଉଳିଆଙ୍କ ଉପବୀତ ଧାରଣ, ଅର୍ଘ୍ୟଦାନରୁ ମହାଦେବଙ୍କ ଚଡ଼କ ମେଳା ଶୁଭାରମ୍ଭ ହେବ। ଏପ୍ରିଲ ୬ ଶନିବାରରେ ୭ ଅର୍ଘ୍ୟ, ୮ ସୋମବାରରେ ୫ ଅର୍ଘ୍ୟ, ୧୦ ବୁଧବାର ମହାଦେବଙ୍କ କାମିନୀ ବିବାହ, ୧୨ ଶୁକ୍ରବାର ମହାନୀଳ ପର୍ବ ଓ ୧୩ ଶନିବାର ଜୀଉଙ୍କ ଶେଷପର୍ବ ପାଟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ୧୪ଦିନ ଧରି ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ମେଳା ସହିତ ଅନୁରୂପ ଭାବେ କୁମ୍ଭୀରଗଡ଼ି ପାହି ଅଞ୍ଚଳରେ ଅବସ୍ଥିତ ଭୂଷଣ୍ଡେଶ୍ୱର ମହାଦେବଙ୍କଠାରେ ଚୈତ୍ର ଚଡ଼କ ମେଳା ଉଦ୍‌ଯାପିତ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share