ନୂଆଦିଲ୍ଲୀ, ୧୨ା୧୨: ସ୍ଥଳସେନା ଉପାଧ୍ୟକ୍ଷ ଲ୍ୟୁଟ୍ନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ସ୍ଥଳସେନା ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରନ୍ତି। ଜଗତ୍ସିଂହପୁର ଜିଲାରେ ଜନ୍ମିତ ଏହି ବରିଷ୍ଠ ସେନା ଅଧିକାରୀଙ୍କ ନୂଆ ନିଯୁକ୍ତି ନେଇ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଶନିବାର ରାତିରେ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଏପରି ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଅଳଙ୍କୃତ କରିବାରେ ସେ ପ୍ରଥମ ଓଡ଼ିଆ ହେବେ। ସେହିପରି ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ପଦବୀ ଦୌଡ଼ରେ ଆଗୁଆ ଥିବା ଜଣାପଡ଼ିଛି। ପ୍ରକାଶ ଯେ, ତାମିଲନାଡୁର କୁନ୍ନୁର ନିକଟରେ ଗତ ୮ ତାରିଖରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ସିଡିଏସ୍ ଜେନେରାଲ ବିପିନ ରାଓ୍ବତ୍ଙ୍କ ମୃତ୍ୟୁ ଘଟିଥିଲା।