ଚଣ୍ଡୀପ୍ରସାଦ ହେବେ ଭାରତୀୟ ସେନା ଉପମୁଖ୍ୟ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର, ୧୯।୧ (ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଆରବିଆଇ ଗଭର୍ନର ଶଶିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଭଳି ଆଉ ଜଣେ ଓଡ଼ିଆ ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଚମକିବେ। ସେ ହେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି। ଭାରତୀୟ ସେନାର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଅର୍ଥାତ୍‌ ଭାଇସ୍‌ ଚିଫ୍‌ ବା ଉପମୁଖ୍ୟ ଭାବେ ଚଣ୍ଡୀପ୍ରସାଦ ଦାୟିତ୍ୱ ନେବାକୁ ଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଜାନୁୟାରୀ ୩୧ରେ ଭାଇସ୍‌ ଚିଫ୍‌ ଏସ୍‌. କେ. ସାଇନି ଚାକିରିରୁ ଅବସର ଗ୍ରହଣ କରିବେ। ୨୬ ଜୁନ୍‌ ୧୯୬୩ରେ ଜନ୍ମିତ ଚଣ୍ଡୀପ୍ରସାଦ ପ୍ରଥମ ଓଡ଼ିଆ ଭାବେ ଉକ୍ତ ପଦବୀରେ ଅବସ୍ଥାପିତ ହେବାକୁ ଯାଉଥିବା ଜଣାପଡ଼ିଛି।
ଚଣ୍ଡୀପ୍ରସାଦ ବର୍ତ୍ତମାନ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଅଛନ୍ତି। ସେ ତାଙ୍କ କ୍ୟାରିୟରରେ ୨ଟି ବିଗ୍ରେଡ୍‌ କମାଣ୍ଡ ସମ୍ଭାଳିଥିଲେ। ସେଥିମଧ୍ୟରୁ ଗୋଟିଏ ହେଲା ଚାଇନାର ଅପୋଜିଟ୍‌ ଏଲଏସି ଏବଂ କଙ୍ଗୋରେ ଜାତିସଂଘ ଶାନ୍ତି ସେନାର ବିଗ୍ରେଡ୍‌। ଏହାସହ ଆସାମରେ ଶାନ୍ତି ଫେରାଇ ଆଣିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଉଲଫ୍‌ା ଆତଙ୍କବାଦକୁ ପ୍ରତିହତ କରିବାରେ ସେ ସଫଳ ହୋଇଥିଲେ। ଏଥିପାଇଁ ତାଙ୍କୁ ଅତିବିଶିଷ୍ଟ ସେବା ପଦକ ମିଳିଥିଲା।
ଜଗତ୍‌ସିଂହପୁର ସହରର ଜୟବଡ଼ର ଜିତେନ୍ଦ୍ର କିଶୋର ମହାନ୍ତି ଓ ଡ. ସାରଦା କୁମାରୀ ମହାନ୍ତିଙ୍କ ବଡ଼ପୁଅ ଚଣ୍ଡୀପ୍ରସାଦ ବାଗସାହି ୟୁ.ପି. ସ୍କୁଲରେ ୬ଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ପରେ ସେ ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପଢ଼ିଥିଲେ। ପୁଣେର ଖଡକ୍‌ଓ୍ବାସଲାସ୍ଥିତ ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ସେ ପ୍ରଶିକ୍ଷଣ ନେଇଥିଲେ। ସେ ହେଉଛନ୍ତି ରାଜପୁତ୍‌ ରେଜିମେଣ୍ଟର ୧୯୮୨ ବ୍ୟାଚ୍‌ ପଦାତିକ ସେନା ଅଧିକାରୀ। ତାଙ୍କ ବାପା ଜିତେନ୍ଦ୍ର କିଶୋର ପୁରୀ ଜିଲା ସବ୍‌ ରେଜିଷ୍ଟ୍ରାର ଭାବେ ଅବସର ଗ୍ରହଣ କରିଥିଲେ। ମା’ ସ୍ବର୍ଗତା ସାରଦା କୁମାରୀ ଓଡ଼ିଆ ସାହିତ୍ୟର ଜଣେ ଗବେଷିକା ସାଙ୍ଗକୁ ଜଗତ୍‌ସିଂହପୁର ଏସ୍‌ଭିଏମ୍‌ କଲେଜରେ ପ୍ରାଧ୍ୟାପିକା ଥିଲେ। ଚଣ୍ଡୀପ୍ରସାଦଙ୍କ ଭାଇ କାଳୀପଦ ମହାନ୍ତି ପାନିପତ୍‌ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବାବେଳେ ଆଉ ଜଣେ ଭାଇ ଦେବୀ ପ୍ରସାଦ ମହାନ୍ତି ଆଡଭୋକେଟ୍‌ ଅଛନ୍ତି।

Share