ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ହର୍‌ମିତ୍‌ କାଲିଫର୍ନିଆରୁ ରିପବ୍ଲିକାନ୍‌ ନ୍ୟାଶନାଲ କମିଟି (ଆର୍‌ଏନ୍‌ସି) ଅଧ୍ୟକ୍ଷା ଅଛନ୍ତି। ସେ ଜାତୀୟ ସ୍ତରରେ ନେତୃତ୍ୱ ନେବା ଲାଗି ସୋମବାର ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୋନ୍ନା ମାକ୍‌ଡେନିଏଲ୍‌ ୨୦୧୭ରୁ ରିପବ୍ଲିକାନ୍‌ ପାର୍ଟି ଅଧ୍ୟକ୍ଷା ରହିଛନ୍ତି। ଦଳ କ୍ରମାଗତ ନିର୍ବାଚନ ହାରୁଥିବାରୁ ଏଥିରେ ଅତିଷ୍ଠ ଥିବା ହର୍‌ମିତ୍‌ ଦଳକୁ ଆଧୁନିକୀକରଣ କରି ଡେମୋକ୍ରାଟ୍ସକୁ ଟକ୍କର ଦେବା ଲାଗି ଚାହାନ୍ତି। ମିଡ୍‌ଟର୍ମ ନିର୍ବାଚନଠାରୁ ରିପବ୍ଲିକାନ୍‌ ନେତୃତ୍ୱରେ ପରିବର୍ତ୍ତନ ଲାଗି ତୃଣମୂଳ ସ୍ତରର ନେତାଙ୍କଠାରୁ ଆରମ୍ଭ କରି ପାଣ୍ଠି ଯୋଗାଣକାରୀ ଏବଂ ଆର୍‌ଏନ୍‌ସି ସଦସ୍ୟମାନେ ତାଙ୍କୁ ଅନୁରୋଧ କରିଆସୁଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ହେଲେ ଦଳୀୟ ନେତୃତ୍ୱରେ ପରିବର୍ତ୍ତନ ଆବଶ୍ୟକ ବୋଲି ହର୍‌ମିତ୍‌ କହିଛନ୍ତି। ମାକ୍‌ଡେନିଏଲ୍‌ ତୃତୀୟ ଥର ପାଇଁ ଆର୍‌ଏନ୍‌ସି ଅଧ୍ୟକ୍ଷା ପଦ ପାଇଁ ଆଗ୍ରହୀ ବୋଲି ପୂର୍ବରୁ ଘୋଷଣା କରିଥିଲେ। କମିଟିର ୧୬୮ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠ ଭୋଟ ଜରିଆରେ ନେତୃତ୍ୱ ଚୟନ କରାଯିବ। ଏହି ପଦବୀ ଲାଗି ଏକ ପିଲୋ କମ୍ପାନୀ ସିଇଓ ମାଇକ୍‌ ଲିଣ୍ଡେଲ୍‌ ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି।

Share