ଦଶମନ୍ତପୁର, ୩ା୨ ( ଡ଼ି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚଣ୍ଡିଜାନୀଗୁଡା ଗ୍ରାମ। ଏଠାରେ ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ଆସୁଥିବା ଅଭିଯୋଗ ହେଉଛି। ୬୦ ପରିବାର ଆଦିବାସୀ କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଗ୍ରାମର ଜନସଂଖ୍ୟା ୨୫୦ରୁ ଊର୍ଦ୍ଧ୍ୱ ରହିଛି। ପୋଡ଼ୁଚାଷ କରି ଜୀବିକା ନିର୍ବାହ କରୁଥିବା ଏହି ଗ୍ରାମବାସୀଙ୍କ ଗମନାଗମନ ପାଇଁ ପକ୍କା ରାସ୍ତା ନାହିଁ। ପାନୀୟ ଜଳ ସମସ୍ୟା ମଧ୍ୟ ଲାଗି ରହିଛି ଗ୍ରାମରେ। ଏନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଗ୍ରାମରେ୨ଟି ନଳ କୂଅ ରହିଥିଲେ ସୁଦ୍ଧା ଗୋଟିଏ ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଅନ୍ୟ ଗୋଟିଏ ନଳକୂଅ ମିଳୁଥିବା ପାଣି ଗ୍ରାମବାସୀଙ୍କ ଲାଗି ଯଥେଷ୍ଟ ହେଉନାହିଁ। ଫଳରେ କେତେକ ପରିବାର ନିକଟସ୍ଥ ନାଳ ପାଣି ବ୍ୟବହାର କରୁଥିବା କହନ୍ତି ଗ୍ରାମର ଘେନୁ ସାଉନ୍ତା, ପୂର୍ଣ୍ଣ ମିଣିଆକା, ମହେଶ୍ୱର ସାଉନ୍ତା, ଡମୁ ଜାନି। ବ୍ଲକ କାର୍ଯ୍ୟଳୟଠାରୁ ମାତ୍ର ୭ କି.ମି. ଦୂରରେ ଥିବା ଏହି ଗ୍ରାମ ପ୍ରତି ପ୍ରଶାସନିକ ଅବହେଳା ଜାରି ରହିଥିବାରୁ ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପଲି ସଭା ଓ ଗ୍ରାମ ସଭାରେ ଗ୍ରାମର ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହେଉଛି ମାତ୍ର ଏହି ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ ହେଉନାହିଁ। ଗ୍ରାମଠାରୁ ୩ କିମି ଦୂରରେ ରହିଛି ମୁନ୍ଦାର ଛକ। ଏହି ଛକ ଉପରେ ବଜାର ସଉଦା ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି। ଗମନାଗମନ ସୁବିଧା ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର କେହି ଅସୁସ୍ଥ ହୋଇ ପଡିଲେ ଭାରରେ ବୋହି ପରିବାର ଲୋକେ ନିଅନ୍ତି ଦଶମନ୍ତପୁର ଡାକ୍ତରଖାନା। ତୁରନ୍ତ ଚଣ୍ଡିଜାନିଗୁଡାକୁ ପାନୀୟ ଜଳ ବ୍ୟବସ୍ଥା ସହ ଗ୍ରାମକୁ ପକ୍କା ରାସ୍ତା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।