ଚାନ୍ଦିପୁର ହେବ ମଡ଼େଲ୍‌ ବେଳାଭୂମି

ବାଲେଶ୍ୱର ଅଫିସ, ୨୨।୪ ଓଡ଼ିଶାର ଶ୍ରେଷ୍ଠ ମଡ଼େଲ୍‌ ବେଳାଭୂମି ଭାବେ ପରିଗଣିତ ହେବ ବାଲେଶ୍ୱରର ଚାନ୍ଦିପୁର। ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକ ଦୁଇ କି.ମି. ମେରାଇନ୍‌ ଡ୍ରାଇଭ୍‌ର ମଜା ନେବେ। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ୩୦କୋଟି ଟଙ୍କା ପ୍ରକଳ୍ପର କାମ ହାତକୁ ନିଆଯାଇଛି। ଚାନ୍ଦିପୁର ପାନ୍ଥନିବାସଠାରୁ ବଳରାମଗଡ଼ି ପର୍ଯ୍ୟନ୍ତ ବେଳାଭୂମିରେ ଥିବା ସମୁଦ୍ରତଟର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ, ଜିଲା ପର୍ଯ୍ୟଟନ ଅଧିକାରୀ, ଜଳସେଚନ ଅଧିକାରୀ ଚାନ୍ଦିପୁର ବେଳାଭୂମିରେ ପହଞ୍ଚତ୍ ତଦାରଖ କରିଥିଲେ। କାର୍ଯ୍ୟ କିପରି ଶୀଘ୍ର ଶେଷ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଧାୟକ ଦାସ ପ୍ରକାଶ କରିଛନ୍ତି।
ପାନ୍ଥନିବାସଠାରୁ ବଳରାମଗଡ଼ି ମୁହାଣ ଆଡ଼କୁ ୧.୭କି.ମି.(୧୭୨୧ ମିଟର) ଯାଏ ସମୁଦ୍ରତଟ ସୁରକ୍ଷା ପାଇଁ ପଥର ପକାଇବା କାମ ଶେଷ ହୋଇଛି। ପଥର ଉପରେ ସର୍ଭିସ୍‌ ରୋଡ୍‌ ମଧ୍ୟ ତିଆରି ହେବ। ଯାହା ଉପରେ ପର୍ଯ୍ୟଟକ ନିଜ ଗାଡ଼ିରେ ଯାଇ ବେଳାଭୂମିର ମଜା ନେବା ସହ ପରିବେଶକୁ ଉପଭୋଗ କରିବେ। ଏଥିସହିତ ଦୁଇ କଡ଼ରେ ଗଛ ମଧ୍ୟ ରହିବ। ୨୦୨୦ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କରୋନା ପାଇଁ ବନ୍ଦ ଥିବା ବେଳେ ଖୁବ୍‌ଶୀଘ୍ର ଶେଷ ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ବର୍ଗ-୧ରେ ଥିବା ଚାନ୍ଦିପୁର ପାଇଁ ୨କୋଟି ୯୪ଲକ୍ଷ ଟଙ୍କା ପର୍ଯ୍ୟଟନ ବିଭାଗକୁ ଆସିଛି। ଯେଉଁଥିରେ ଏକ କାଫେ, ଗାଡ଼ି ପାର୍କିଂ ସହ ବିକାଶମୂଳକ କାମ ହେବ ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି।

Share