Advertisement

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଯାଉ: ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୪ା୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବେଳେ ଏହାର ଅଧ୍ୟକ୍ଷ ଚନ୍ଦ୍ରବାବୁ ରାଜ୍ୟର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିବା ସହ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି।

ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ପୁଣିଥରେ ପାଓ୍ବାର ହାଉସ୍‌ ଭାବେ ଉଭାହେବାକୁ ଯାଉଥିବା ବୈଠକ ପରେ ଚନ୍ଦ୍ରବାବୁ ଦୃଢ଼ତାର ସହ କହିଛନ୍ତି। ୨ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ଚନ୍ଦ୍ରବାବୁ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଜାତୀୟ ରାଜପଥ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ସେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଚନ୍ଦ୍ରବାବୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଏନ୍‌ଡିଏର ଅନ୍ୟତମ ମୁଖ୍ୟ ସହଯୋଗୀ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଯୋଗାଇଦେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share