Categories: ଜାତୀୟ

ଓ୍ବାଇଏସଆର କଂଗ୍ରେସ କାର୍ଯ୍ୟାଳୟରେ ଚାଲିଲା ବୁଲଡୋଜର, ଚୁରମାର ହୋଇଗଲା ବିରୋଧୀଙ୍କ…

ନୂଆଦିଲ୍ଲୀ,୨୨।୬: ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ କ୍ଷମତାଚ୍ୟୁତ କରି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି। ବିରୋଧୀ ଦଳରେ ବସିଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବେ କ୍ଷମତାକୁ ଫେରିଛି। ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି କିନ୍ତୁ ପ୍ରତିଶୋଧର ରାଜନୀତି ଜାରି ରହିଛି। ଶନିବାର ପୂର୍ବାହ୍ନରେ ବିଜୟୱାଡାର ତାଡେପାଲ ଜିଲାରେ ଓ୍ବାଇଏସଆର କଂଗ୍ରେସ ପାର୍ଟି (YSRCP)ର କାର୍ଯ୍ୟାଳୟରେ ବୁଲଡୋଜର ଚଲାଇ ଭାଙ୍ଗି ଦିଆଯାଇଛି। ଓ୍ବାଇଏସଆର କଂଗ୍ରେସ ଏହାକୁ ପ୍ରତିଶୋଧର ରାଜନୀତି ବୋଲି କହିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଓ୍ବାଇଏସଆର କଂଗ୍ରେସର କାର୍ଯ୍ୟାଳୟ ଗୁଣ୍ଟୁର ଜିଲାର ତୋଡପଲ୍ଲୀ ମଣ୍ଡଳର ସୀତାନଗରମ ପରିସରରେ ରହିଛି। ଓ୍ବାଇଏସଆର ୮୭୦.୪୦ ବର୍ଗ ମିଟର ଜମି ବେଆଇନ ଭାବେ କବଜା କରି ରଖିଥିବା ଅଭିଯୋଗ ହୋଇଛି।

YSRCP ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ତଥାପି କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। କୋର୍ଟ ଭାଙ୍ଗିବା ଉପରେ ରୋକ୍‌ ଳଗାଇଥିଲେ ମଧ୍ୟ ଅଫିସକୁ ଭାଙ୍ଗି ଚୁରମାର କରି ଦିଆଯାଏ। ରାଜ୍ୟ ଇତିହାସରେ ଏକ ପାର୍ଟି ଅଫିସ ଭାଙ୍ଗିବାର ଏହା ପ୍ରଥମ ଉଦାହରଣ।

ସୂଚନାଥାଉ କି, ୨୦୨୧ ନଭେମ୍ବର ୧୯ ତାରିଖରେ ମହିଳା ସଶକ୍ତିକରଣ ଉପରେ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ YSR କଂଗ୍ରେସ ପାର୍ଟିର କିଛି ବିଧାୟକ ଚନ୍ଦ୍ରବାବୁ ନାଇଡୁଙ୍କ ସ୍ତ୍ରୀଙ୍କ ଉପରେ କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏଭଳି ମନ୍ତବ୍ୟ ନ ଦେବାକୁ ଗୃହ ମଧ୍ୟରେ ହାତଯୋଡ଼ି କାନ୍ଦି କାନ୍ଦି ଅନୁରୋଧ କରିଥିଲେ ନାଇଡୁ । କିନ୍ତୁ YSR କଂଗ୍ରେସ ପାର୍ଟିର ବିଧାୟକମାନେ ତାହା ଶୁଣି ନ ଥିଲେ । ଯେଉଁଥିପାଇଁ କାନ୍ଦି କାନ୍ଦି ଗୃହ ଛାଡ଼ିଥିଲେ ସେ । ଆଉ ଯିବା ବେଳେ କହିଥିଲେ, ଯଦି କେବେ ବିଧାନସଭାକୁ ସେ ଫେରିବେ, କେବଳ ମୁଖ୍ୟମନ୍ତ୍ରୀ ଭାବେ ଫେରିବେ । ଆଉ ସତକୁ ସତ ସେୟା ହୋଇଛି । ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏଥର ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ୧୩୫ ଆସନ ହାସଲ କରିଥିବା ବେଳେ ସହଯୋଗୀ ଜନସେନାକୁ ୨୧ ଏବଂ ବିଜେପିକୁ ୮ଟି ଆସନ ମିଳିଛି । ଶୁକ୍ରବାର ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଇଛନ୍ତି ।

Share