Categories: ଜାତୀୟ

ଆଜି ଶପଥ ନେବେ ଚନ୍ଦ୍ରାବାବୁ

ବିଜୟଓ୍ବାଡ଼ା,୧୨ା୬: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍‌ ପାର୍ଟି (ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ମଙ୍ଗଳବାର ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ବାଚିତ କରାଯାଇଛି। ସେ ବୁଧବାର ବିଭାଜିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ। ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଏନ୍‌ଡିଏ ନେତାମାନେ ଉପସ୍ଥିତ ରହିବେ।
ଜନସେନା ପାର୍ଟି ବିଧାୟକ ଦଳ ନେତା ପଓ୍ବନ କଳ୍ୟାଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚନ୍ଦ୍ରାବାବୁଙ୍କ ନାଁ ପ୍ରସ୍ତାବ ରଖିଥିବାବେଳେ ଭାଜପା ରାଜ୍ୟ ସଭାପତି ଡି. ପୁରନ୍ଦେଶ୍ୱରୀ ଏହାକୁ ସମର୍ଥନ ଜଣାଇଥିଲେ। ଏନ୍‌ଡିଏର ମେଣ୍ଟର ନବନିର୍ବାଚିତ ବିଧାୟକମାନେ ଏହାକୁ କରତାଳି ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ଚନ୍ଦ୍ରାବାବୁ କହିଛନ୍ତି, ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଏନ୍‌ଡିଏ ୧୬୪ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି। ରାଜ୍ୟବାସୀ ମେଣ୍ଟ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଆମକୁ ସବୁପ୍ରକାର ସମର୍ଥନ କରିବା ଆବଶ୍ୟକ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ନିବେଦନ କରିଥିଲେ। ସେମାନେ ଯଥାସମ୍ଭବ ସମର୍ଥନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୪ ଦଶନ୍ଧିର ରାଜନୈତିକ କ୍ୟାରିୟରରେ ଚନ୍ଦ୍ରାବାବୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଅମରାବତୀ ଆନ୍ଧ୍ରର ରାଜଧାନୀ ହେବ ବୋଲି ଏହି ଅବସରରେ ସେ କହିଛନ୍ତି।
ଏହା ପୂର୍ବରୁ ମଙ୍ଗଳାଗିରିସ୍ଥିତ ଜନସେନା ପାର୍ଟି କାର୍ଯ୍ୟାଳୟରେ ପଓ୍ବନ କଲ୍ୟାଣଙ୍କୁ ଦଳର ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ସେହିପରି ଭାଜପା ରାଜ୍ୟ ସଭାପତି ପୁରନ୍ଦେଶ୍ୱରୀ ମଧ୍ୟ ଦଳୀୟ ବିଧାୟକମାନଙ୍କ ବୈଠକ କରି ବିଧାୟକ ଦଳ ନେତା ପାଇଁ ହାଇକମାଣ୍ଡଙ୍କ ନିଷ୍ପତ୍ତି ପାଳନ କରିବାକୁ କହିଥିଲେ। ଗତ ବିଧାନସଭା ନିର୍ବାଚନରେ ଟିଡିପି ୧୩୫ ଆସନ ଜିତିଥିବାବେଳେ ସହଯୋଗୀ ଦଳ ଜେଏସ୍‌ପି ୨୧ ଏବଂ ଭାଜପା ୮ ଆସନରେ ବିଜୟୀ ହୋଇଥିଲା। ସେହିପରି ଲୋକ ସଭା ନିର୍ବାଚନରେ ଆନ୍ଧ୍ରର ୨୫ ଆସନରୁ ଏନ୍‌ଡିଏକୁ ୨୧ ଆସନ ମିଳିଥିଲା।

Share