ମୁମ୍ବାଇ,୧୨।୮: ଭାଜପା ବିଧାୟକ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଚନ୍ଦ୍ରଶେଖର ନାଗପୁରରୁ ଭାଜପା ନେତା ଥିବା ବେଳେ ସେ ନୀତିନ ଗଡକରୀଙ୍କ ନିକଟତମ ବନ୍ଧୁ ଭାବେ ପରିଚିତ । ଅନ୍ୟପଟେ ବିଧାୟକ ଆଶିଷ ଶେଲାରଙ୍କୁ ମୁମ୍ବାଇର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ବାୱାନକୁଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିସାରିଛନ୍ତି। ସେହିପରି ଆଶିଷ ମଧ୍ୟ ବାନ୍ଦ୍ରା ପଶ୍ଚିମରୁ ଭାଜପା ବିଧାୟକ ରହିଛନ୍ତି। ଏଥିସହ ସେ ମହାରାଷ୍ଟ୍ର ବିଧାନସଭାରେ ଭାଜପାର ମୁଖ୍ୟ ହ୍ବିପ ରହିଛନ୍ତି। ଏନେଇ ଶୁକ୍ରବାର ଦଳ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବିଧାନ ପରିଷଦର ସଦସ୍ୟ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ରର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସେହିପରି ବିଧାୟକ ଆଶିଷ ଶେଲାରଙ୍କୁ ମୁମ୍ବାଇ ମହାନଗର ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଭାବେ ନଡ୍ଡା ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି।