Categories: ଜାତୀୟ

ଯୋଗୀଙ୍କ ସହ ଲଢ଼ିବେ ଚନ୍ଦ୍ରଶେଖର…

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଗୋରଖପୁର ଆସନରେ ଆଜାଦ୍‌ ସମାଜ ପାର୍ଟି ପ୍ରମୁଖ ଚନ୍ଦ୍ରଶେଖର ଅଜାଦ୍‌ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପୂର୍ବରୁ ନୋଏଡାଠାରେ ଜାନୁୟାରୀ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବା ନେଇ ଚନ୍ଦ୍ରଶେଖର ସୂଚନା ଦେଇଥିଲେ।

ଚନ୍ଦ୍ରଶେଖର ସମାଜବାଦୀ ପାର୍ଟି ସହିତ ମେଣ୍ଟରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲେ। ତେବେ ଅଖିଳେଶ ଯାଦବଙ୍କ ସହିତ ଆସନ ବୁଝାମଣା ନେଇ ତାଙ୍କର ଭାଗବଣ୍ଟା ଛିଣ୍ଡି ନ ଥିଲା। ତେଣୁ ତାଙ୍କ ଦଳ ଏକୁଟିଆ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ଗ୍ରହଣ କରିଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଚନ୍ଦ୍ରଶେଖର ତାଙ୍କ ପ୍ରାର୍ଥୀଙ୍କୁ କିଛି ନେତାଙ୍କ ସହିିତ ପ୍ରତିଦ୍ୱନ୍ଦ୍ୱିତା କରାଇବେ ନାହିଁ। ସେଥିମଧ୍ୟରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବପାଲ ସିଂ ଯାଦବ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭର ଏବଂ ଭାଜପା ଛାଡି ସମାଜବାଦୀ ପାର୍ଟିରେ ଯୋଗଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ନାମ ରହିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଚନ୍ଦ୍ରଶେଖର ପ୍ରାର୍ଥୀ ମଧ୍ୟ ଠିଆ କରାଇବେ ନାହିଁ।

ଆଜାଦ୍‌ ସମାଜ ପାର୍ଟି ରାଜ୍ୟର ୩୩ଟି ଆସନରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଚନ୍ଦ୍ରଶେଖର ୨ ଦିନ ତଳେ ପ୍ରକାଶ କରିଥିଲେ।

 

Share