ବେଙ୍ଗାଲୁରୁ,୧ା୮: ଚନ୍ଦ୍ରୟାନ-୩ ପୃଥିବୀ ଚାରିପଟେ ୧୮ ଦିନ ଘୂରିବା ସହ ୫ ଥର କକ୍ଷ ଉତ୍ଥାନ କରାଯିବା ପରେ ଇସ୍ରୋ ଏହାର ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସଲୁନାର ଇଞ୍ଜେକ୍ଶନ (ଟିଏଲ୍ଆଇ) ସଫଳତାର ସହ କରାଇଛି।
ମହାକାଶ ଯାନର ୨,୧୪୫ କିଲୋଗ୍ରାମ ପ୍ରପଲଶନ୍ ଇଞ୍ଜିନ ଫାୟାର ଅପ୍ ହେବା ପରେ ଏହା ଚନ୍ଦ୍ରୟାନକୁ ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ କରିବା ଲାଗି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବାହାରକୁ ନେଇଯାଇଛି। ଅଗଷ୍ଟ ୫ରେ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ କହିଛି। ଚନ୍ଦ୍ରୟାନ ଚନ୍ଦ୍ର ଚାରିପଟେ ଘୂରିବା ସହ ଧୀରେ ଧୀରେ ଏହାର ନିକଟତର ହେବ। ୧୦୦ କିଲୋମିଟର କକ୍ଷପଥରେ ପହଞ୍ଚିବା ପରେ ଲ୍ୟାଣ୍ଡର ସେଠାରୁ ତଳକୁ ଖସି ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଜୁଲାଇ ୧୪ରେ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଲଞ୍ଚ କରାଯାଇଥିଲା। ଅଣ୍ଡାକୃତି କକ୍ଷପଥରେ ଘୂରିବା ସହ ୫ଟି ମ୍ୟାନୋଭର ପରେ ପୃଥିବୀଠାରୁ ଏହାର ସର୍ବାଧିକ ଦୂରତା ୧,୨୭,୬୦୩ କିଲୋମିଟରରେ ପହଞ୍ଚି ଥିଲା।