Categories: ଜାତୀୟ

ଚନ୍ଦ୍ରାୟନ ୩ର ସଫଳତାକୁ ନେଇ ନିଜକୁ କ୍ରେଡିଟ ଦେଲା କଂଗ୍ରେସ, କହିଲା ନେହେରୁଙ୍କ ସ୍ବପ୍ନ ଥିଲା ଇସ୍ରୋ

ନୂଆଦିଲ୍ଲୀ,୧୫।୭: ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାର ସତିଶ ଧଓ୍ବନ ସ୍ପେଶ ଷ୍ଟେଶନରୁ ଶୁକ୍ରବାର ଚନ୍ଦ୍ରାୟନ ୩ ଲଞ୍ଚ କରାଯାଇଛି। ଇସ୍ରୋର ସୂଚନା ଅନୁଯାୟୀ, ୨୩ ଅଗଷ୍ଟ ସାରେ ଚନ୍ଦ୍ରାୟଣ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସମ୍ଭାବନା ରହିଛି। ଭାରତ ଏବଂ ଭାରତ ବାହାରେ ଲୋକେ ଭାରତ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଉଛନ୍ତି। ବିରୋଧୀ ଦଳର ସମସ୍ତ ନେତା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆଜି ଆମ ଭିତରୁ କୋଟି କୋଟି ଜନତା ଗର୍ବର ସହିତ ଆକାଶ ଆଡକୁ ଚାହିଁ ରହିଛନ୍ତି। ଦଶନ୍ଧି ଧରି ବୈଜ୍ଞାନିକଙ୍କ କଠିନ ପରିଶ୍ରମର ଫଳାଫଳ ହେଉଛି ଚନ୍ଦ୍ରାୟଣ -୩। ୧୯୬୨ରେ ଇଣ୍ଡିଆନ ସ୍ପେଶ ପ୍ରୋଗ୍ରାମ ଲଞ୍ଚ କରାଯାଇଥିଲା, ଯାହା ପରେ ୧୯୬୯ରେ ଇସ୍ରୋ ଆରମ୍ଭ କରାଯାଇଥିଲା। ଏହି ମିଶନର ସଫଳତା ଆମକୁ ଚତୁର୍ଥ ଦେଶ ଭାବରେ ଚନ୍ଦ୍ର ପୃଷ୍ଠରେ ଏକ ମହାକାଶଯାନ ଅବତରଣ କରିବ। ପ୍ରକୃତରେ ଏକ ବଡ଼ ସଫଳତା। ସମଗ୍ର ଇସ୍ରୋ ଟିମକୁ ଅଭିନନ୍ଦନ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଚନ୍ଦ୍ରାୟନ -୩ ର ସଫଳ ଲଞ୍ଚିଂକୁ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାୟାନ -୩ ର ସଫଳ ଲଞ୍ଚିଂ ପାଇଁ ବୈଜ୍ଞାନିକ, ଇଞ୍ଜିନିୟର୍‌ ଏବଂ ମିଶନରେ ଜଡିତ ସମସ୍ତଙ୍କୁ ଅଭିନନ୍ଦନ। ଆପଣଙ୍କ ଦକ୍ଷତା, ନିଷ୍ଠା ଏବଂ ପରିଶ୍ରମ ହେତୁ ଏହି ସଫଳତା ହାସଲ କରାଯାଇଛି। ଆମେ ସମସ୍ତେ ଆପଣଙ୍କ ପାଇଁ ଗର୍ବିତ କଂଗ୍ରେସ ପଢ଼କ୍ଷରୁ ଇସ୍ରୋର ଅତୁଳନୀୟ ଦଳକୁ ଶୁଭେଚ୍ଛା।
କଂଗ୍ରେସର ମହାସଚିବ କେସି ଭେନୁଗୋପାଳ କହିଛନ୍ତି, ପଣ୍ଡିତ ଜବାହରଲାଲ ନେହେରୁ ଇସ୍ରୋକୁ ନେଇ ସ୍ବପ୍ନ ଦେଖିଥିଲେ। ଯାହା ଇନ୍ଦିରା ଗାନ୍ଧୀ ପୂରଣ କରିଥିଲେ। ରାଜୀବ ଗାନ୍ଧୀ ଏବଂ ଡକ୍ଟର ମନମୋହନ ସିଂ ଏହାକୁ ନୂତନ ଉଚ୍ଚତାକୁ ନେଇଥିଲେ। ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଚନ୍ଦ୍ରୟାନ -୩ ଚନ୍ଦ୍ରକୁ ଜୟ କରିବାକୁ ଯାଉଥିବାର ଦେଖାଯାଉଛି।

Share