Categories: ଜାତୀୟ

ଚନ୍ଦ୍ରପୃଷ୍ଠରେ ଚାଲିଲା ରୋଭର ପ୍ରଜ୍ଞାନ: ଇସ୍ରୋ କହିଲା, ‘ମେଡ୍‌ ଇନ୍‌ ଇଣ୍ଡିଆ, ମେଡ୍‌ ଫର୍‌ ମୁନ୍‌’

ନୂଆଦିଲ୍ଲୀ,୨୪।୮: ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରରେ ସ୍ପେସ୍‌ ଏଜେନ୍ସିର ଅଧ୍ୟକ୍ଷ ଏସ୍‌. ସୋମନାଥନ୍‌ ଘୋଷଣା କରିଛନ୍ତି, ଆମେ ଚନ୍ଦ୍ରରେ ସୂକ୍ଷ୍ମାବତରଣ କରିପାରିଛେ। ଭାରତ ଏବେ ଚନ୍ଦ୍ରକୁ ଛୁଇଁଛି। ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ସହ ସାମାଜିକ ଗଣମାଧ୍ୟମରେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
ଅବତରଣ କରିବାର ପ୍ରାୟ ଚାରି ଘଣ୍ଟା ପରେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରୁ ବାହାରି ଚନ୍ଦ୍ର ପୃଷ୍ଠରେ ଚାଲିବାକୁ ଲାଗିଛି। ଏହି ସଂପର୍କରେ ଇସ୍ରୋ ଟୁଇଟ୍‌ କରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ବିଷୟରେ ସୂଚନା ଦେଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରୟାନ-୩ ରୋଭର ଭାରତରେ ତିଆରି କରାଯାଇଛି। ଚନ୍ଦ୍ର ପାଇଁ ତିଆରି କରାଯାଇଛି। ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରୁ ବାହାରି ଚନ୍ଦ୍ର ପୃଷ୍ଠରେ ଚାଲିଛି। ଖୁବ୍‌ଶୀଘ୍ର ଅଧିକ ଅପଡେଟ୍‌ ଦିଆଯିବ।
ବିକ୍ରମ ଲ୍ୟାଣ୍ଡରର ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ବିପୁଳ ଧୂଳିକଣିକା ଉଠିଥିଲା। ଚନ୍ଦ୍ରର ନିମ୍ନ ମାଧ୍ୟାକର୍ଷଣ ଯୋଗୁ ଏହି ଧୂଳି ସ୍ଥିର ହେବାକୁ ଦିନେ ଲାଗିଯିବ। ବହୁ ପରୀକ୍ଷାନିରୀକ୍ଷା ପରେ ଲ୍ୟାଣ୍ଡିଂ ସ୍ଥଳ ସ୍ଥିର କରାଯାଇଥିଲା। ଉକ୍ତ ଅଞ୍ଚଳରେ ଜଳର ସଙ୍କେତ ଥିବାରୁ ଚନ୍ଦ୍ରରେ ବରଫ ଥାଇପାରେ ବୋଲି ଅନୁମାନ କରାଯାଉଛି, ଯାହାକି ବୈଜ୍ଞାନିକ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ପୂର୍ବରୁ ମଧ୍ୟ ୨୦୦୯ରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସହାୟତାରେ ଭାରତର ପ୍ରଥମ ମୁନ୍‌ ମିଶନ ଚନ୍ଦ୍ରୟାନ-୧ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇଥିଲା। ଆଗାମୀ ୨୪ ଦିନ (ଅର୍ଥାତ୍‌ ଚନ୍ଦ୍ରର ଦିନେ) ଧରି ସୌରଚାଳିତ ରୋଭର ପ୍ରଜ୍ଞାନ ଜହ୍ନ ରାଇଜରୁ ଇସ୍ରୋକୁ ଅନେକ ଚିତ୍ର ଓ ତଥ୍ୟ ପ୍ରେରଣ କରିବ। ୧୪ ଦିନ ପରେ ଏହାର ଗତିବିଧି ମନ୍ଥର ହୋଇଯାଇପାରେ। ମୁନ୍‌ ରୋଭର ଲ୍ୟାଣ୍ଡର ବିକ୍ରମ ଏବଂ ଚନ୍ଦ୍ରୟାନ୍‌-୨ର ଅର୍ବିଟର ସହ ଯୋଗାଯୋଗରେ ରହିବ। ଲ୍ୟାଣ୍ଡର ଇସ୍ରୋକୁ ଡେଟା ରିଲେ କରିବ।

Share