Categories: ଜାତୀୟ

ଅଗଷ୍ଟ ୨୩ରେ ବାଧା ଉପୁଜିଲେ ଅଗଷ୍ଟ ୨୭ରେ ସଫ୍ଟ ଲ୍ୟାଣ୍ଡିଂ କରାଯିବ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୨୨।୪: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟ୍‌ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ସେଦିନର ସ୍ଥିତି ଯଦି ଅନୁକୂଳ ନ ରହେ ତେବେ ଏହାକୁ ୨୭ ତାରିଖରେ ସାନି ସଫ୍ଟ ଲ୍ୟାଣ୍ଡିଂ କରାଇବା ଲାଗି ଉଦ୍ୟମ ହେବ ବୋଲି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି। ୨୩ ତାରିଖ ଲ୍ୟାଣ୍ଡିଂର ୨ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡର୍‌ ମଡ୍ୟୁଲ ନିମନ୍ତେ ଏହା ଉପଯୁକ୍ତ ସମୟ କି ନୁହେଁ ଏବଂ ଚନ୍ଦ୍ରର ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ। ଯଦି କୌଣସି କାରଣରୁ ଏହା ଅନୁକୂଳ ନୁହେଁ ବୋଲି ଜଣାପଡ଼େ ତେବେ ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବ ବୋଲି ଇସ୍ରୋର ସ୍ପେସ୍‌ ଆପ୍ଲିକେଶନ୍ସ ସେଣ୍ଟର ନିର୍ଦ୍ଦେଶକ ନିଲେଶ ଏମ୍‌. ଦେଶାଇ କହିଛନ୍ତି।
ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଏହା ଚନ୍ଦ୍ରୟାନ-୨ର ଅର୍ବିଟର ସହ ଯୋଗାଯୋଗ ସ୍ଥାପନ କରିବାରେ ସକ୍ଷମ ହୋଇଛି। ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ମଡ୍ୟୁଲକୁ ସ୍ବାଗତ କରି ‘ଓ୍ବେଲ୍‌କମ୍‌ ବୁଡ୍ଡି!’ ବାର୍ତ୍ତା ପଠାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୯ରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇ ଖସିପଡ଼ିଥିଲେ ମଧ୍ୟ ଏହାର ରୋଭର ଏବେ ମଧ୍ୟ ଚନ୍ଦ୍ରଠାରୁ ୧୦୦ କିଲୋମିଟର ଦୂର କକ୍ଷପଥରେ ରହି ଏହାକୁ ପ୍ରଦକ୍ଷିଣ କରୁଛି।

Share