Categories: ଜାତୀୟ

ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳ

ବେଙ୍ଗାଲୁରୁ, ୨୧ା୭:ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳତାର ସହ ସମ୍ପନ୍ନ କରିଛି। ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍‌ କମାଣ୍ଡ ନେଟ୍‌ଓ୍ବର୍କ (ଆଇଏସ୍‌ଟିଆର୍‌ଏସି)ରୁ ଏହା ସମ୍ପନ୍ନ ହୋଇଥିଲା। ଫଳରେ ପୃଥିବୀଠାରୁ ଚନ୍ଦ୍ରୟାନର ସର୍ବନିମ୍ନ ଦୂରତା ୨୩୩ କିଲୋମିଟର ଥିବାବେଳେ ସର୍ବାଧିକ ଦୂରତା ୭୧,୩୫୧ କିଲୋମିଟରକୁ ବୃଦ୍ଧି ପାଇଛି।
ଗତ ଶୁକ୍ରବାର ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏଲ୍‌ଭିଏମ୍‌-୩ ରକେଟ ସହାୟତାରେ ଚନ୍ଦ୍ରୟାନ-୩କୁ ପ୍ରେରଣ କରାଯାଇଥିଲା। ଏହାର ପରବର୍ତ୍ତୀ କକ୍ଷ ଉତ୍ଥାନ ଆସନ୍ତା ୨୫ ତାରିଖ ଅପରାହ୍ନ ୨ରୁ ୩ଟା ମଧ୍ୟରେ ହେବ। ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପୃଥିବୀ କୈନ୍ଦ୍ରିକ ପଇଁତରା ପରେ ଅଗଷ୍ଟ ୧ରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିବ। ଅଗଷ୍ଟ ୨୩ ଅପରାହ୍ନ ୫ଟା ୪୭ରେ ଏହାର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଯୋଜନା ରହିଛି।

Share