୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ ବବିତା ମଲ୍ଲିକ ୧୫ ଦିନ ପୂର୍ବରୁ ବିଜେଡି ନେତ୍ରୀ ତଥା ବିଧାୟିକା ପ୍ରାର୍ଥୀ ପ୍ରମିଳା ମଲ୍ଲିକଙ୍କ ନିଜ ପଞ୍ଚାୟତ ମାଁସଡାରୁ କେତେଜଣ ବିଜେଡି କର୍ମୀଙ୍କୁ ଆଣି ଭାଜପାରେ ସାମିଲ କରିଥିଲେ। ଏହା ପ୍ରମିଳାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ମଙ୍ଗଳବାର ପୁଣି ସମ୍ପୃକ୍ତ ବ୍ୟକ୍ତିମାନେ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଛନ୍ତି। ମାତ୍ର ୧୫ ଦିନ ମଧ୍ୟରେ ବିଜେଡି ଛାଡି ଭାଜପାକୁ ଯାଇଥିବା କର୍ମୀମାନଙ୍କୁ ପ୍ରମିଳା ଦଳକୁ ଫେରାଇ ନିଜର ପତିଆରା ସାବ୍ୟସ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ଛାଡି ଭାଜପାକୁ ଆସୁଥିବା କର୍ମୀମାନଙ୍କୁ ଭାଜପା ସଂଗଠକ ନିରଞ୍ଜନ ବେଉରିଆ ସମ୍ଭାଳି ପାରୁ ନ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ମଁାସଡ଼ା ଗୌଡ଼ସାହି ଅଞ୍ଚଳର ବିଜେଡି ସମର୍ଥକ ଅକ୍ଷୟ କୁମାର ବେହେରା, ପ୍ରଦୀପ ସ୍ବାଇଁ, ପ୍ରମୋଦ ସେଠୀ, ନିରଞ୍ଜନ ନାଥ, ଅକ୍ଷୟ ଜେନା, ଶିବପ୍ରସାଦ ମିଶ୍ର, ବିଶ୍ୱଜିତ୍‌ ବେଉରିଆ, ଗୋବିନ୍ଦ ସାହୁ, ରଞ୍ଜିତ୍‌ ଜେନା, ବାବୁଲି ଜେନା, ବ୍ରଜକିଶୋର ପଣ୍ଡା, ଅଜୟ ବେହେରା, ଅକ୍ଷୟ ସାହୁ, ବବୁଲ ମିଶ୍ର, ବାଦଲ ବେହେରା ଓ ଶ୍ରୀଧର ଦାସ ପ୍ରମୁଖ ବିଜେଡି ଛାଡି ଭାଜପାରେ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଯୋଗଦେଇଥିଲେ। ପ୍ରମିଳାଙ୍କ ବାସଭବନରେ ମଙ୍ଗଳବାର ସନ୍ଧ୍ୟାରେ ଅକ୍ଷୟ ବେହେରାଙ୍କ ସମେତ ସମସ୍ତ କର୍ମୀ ପହଞ୍ଚତ୍ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଥିଲେ। ଭାଜପା ନୁହେଁ ବରଂ ବିଞ୍ଝାରପୁରରେ ବିଜେଡି ଓ ପ୍ରମିଳାଙ୍କ ନେତୃତ୍ୱରେ ବିକାଶ ଆଗକୁ ତ୍ୱରାନ୍ବିତ ହୋଇପାରିବ ବୋଲି ସେମାନେ ପ୍ରକାଶ କରିଥିଲେ।

Share