ବଦଳିଲା କୋଭିଡ୍‌ ଉଲ୍ଲଂଘନ ନିୟମ: ୨ ବର୍ଷ କାରାଦଣ୍ଡ, ୧ଲକ୍ଷ ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଏକ ବୃହତ ସମସ୍ୟା ସୃଷ୍ଟି କରିଛି। ବିଗତ ମାସକ ମଧ୍ୟରେ ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବ୍ୟାପକ ସଚେତନତା ଅଭିଯାନ ସତ୍ତ୍ୱେ କେତେକ ଲୋକ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ପାଳନ କରୁନାହାନ୍ତି। ଯାହାଦ୍ୱାରା ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି ହେବ। ଏହି ରୋଗକୁ ରୋକିବା ଲାଗି ନିର୍ଦ୍ଦେଶାବଳୀକୁ କଠୋରଭାବେ ପାଳନ କରିବାର ଆବଶ୍ୟକତା ରହିଛି। ତେଣୁ ଏପିଡେମିକ୍‌ ରୋଗ ଅଧିନିୟମ ୧୮୯୭ରେ ରହିଥିବା ଦଣ୍ଡ/ଜରିମାନା ପରିମାଣ ବୃଦ୍ଧି ନେଇ ଆବଶ୍ୟକତା ଥିବା ସରକାର ବିଚାର କରିଛନ୍ତି। ଦଣ୍ଡ ବୃଦ୍ଧି ନେଇ କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନିୟମ ଉଲ୍ଲଂଘନ କ୍ଷେତ୍ରରେ ଏଥର ୨ ବର୍ଷ କାରାଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯନ୍ତ ଜରିମାନା ଆଦାୟ କରାଯିବ। ଅଥବା ଉଭୟ ଦଣ୍ଡ ବିଧାନ ମଧ୍ୟ କରାଯାଇପାରେ। ୨୦୨୦ ଏପ୍ରିଲ ୮ ରେ ଏକ ଅଧ୍ୟାଦେଶ ମାଧ୍ୟମରେ ଦଣ୍ଡ ଅବଧି ୨ ବର୍ଷ ପର୍ଯ୍ୟନ୍ତ ଏବଂ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଆସନ୍ତା ବିଧାନସଭା ଅଧିବେଶନରେ ଗୃହୀତ କରାଯାଇ ଏହାକୁ ଆଇନରେ ପରିଣତ କରାଯିବ।
ସରକାର ୫୦ ଏବଂ ୨୦ଜଣଙ୍କ ଉପସ୍ଥିତିରେ ବାହାଘର ଓ ଅନ୍ତିମ ସଂସ୍କାର କରାଯିବା ନିୟମ କରିଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଉଛି। ତେଣୁ ଯେଉଁମାନେ ଆଗକୁ ସରକାରଙ୍କ ନିୟମ ପାଳନ ନ କରିବେ ସେ କ୍ଷେତ୍ରରେ ରୋଗର ବିସ୍ତାରକୁ ରୋକିବା ପାଇଁ କଠୋର ଦଣ୍ଡ ବିଧାନ କରାଯିବ।

Share