Categories: ଖେଳ

କ୍ରିକେଟର ପରିବର୍ତ୍ତିତ ନିୟମ

କ୍ରିକେଟର ନିୟମ ପରିବର୍ତ୍ତନ ଓ ପ୍ରଚଳନ ପାଇଁ ୧୭୮୮ରେ ସ୍ଥାପନ ହୋଇଥିଲା ମେରିଲବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)। ୧୮୩୪ ପର୍ଯ୍ୟନ୍ତ କ୍ରିକେଟ ନିୟମରେ କୌଣସି ସଂଶୋଧନ କରାଯାଇ ନ ଥିଲା। ମେ ୧୯, ୧୮୩୫ରେ କ୍ରିକେଟର ସମ୍ବିଧାନ ‘ଦ ଲଜ୍‌ ଅଫ୍‌ ନୋବଲ୍‌ ଗେମ୍‌ ଅଫ୍‌ କ୍ରିକେଟ’ ପ୍ରଚଳନ କରାଯାଇଥିଲା…

କ୍ରିକେଟକୁ ଜେଣ୍ଟଲମ୍ୟାନ୍ସ ଗେମ୍‌ ବା ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ। ୧୭୪୪ରୁ କ୍ରିକେଟ ଖେଳ ଆରମ୍ଭ ହୋଇଥିଲା। ବ୍ରିଟିଶଙ୍କ ଦ୍ୱାରା ମନୋରଞ୍ଜନ ପାଇଁ ଆବିଷ୍କୃତ ଏହି ଖେଳରେ ବିଭିନ୍ନ ସମୟରେ ଅନେକ ନିୟମ ପରିବର୍ତ୍ତନ ହୋଇଛି। ୨୨ ଗଜର ପିଚ୍‌ ଉପରେ ଖେଳା ଯାଉଥିବା ଏହି ଖେଳରେ ଆରମ୍ଭରୁ କ୍ରିକେଟ ପଡିଆର କୌଣସି ସୀମାରେଖା ନଥିଲା। ଏପରିକି କୌଣସି ସମୟ ନିର୍ଘଣ୍ଟ ମଧ୍ୟ ନ ଥିଲା। ଧୀରେ ଧୀରେ ବାଉଣ୍ଡାରି ପ୍ରଚଳନ ହେବା ସହିତ ଟେଷ୍ଟ କ୍ରିକେଟକୁ ୫ ଦିନ ବିଶିଷ୍ଟ କରାଗଲା। ଏହା ପରେ ଦିନିକିଆ କ୍ରିକେଟକୁ ପ୍ରଥମେ ୬୦ ଓଭର ଓ ପରବର୍ତ୍ତୀ ସମୟରେ ୫୦ ଓଭର ବିଶିଷ୍ଟ କରାଗଲା। ସମୟ ସହିତ ତାଳ ଦେଇ ବର୍ତ୍ତମାନ ଟି୨୦ କ୍ରିକେଟ ଓ ଟି୧୦ ଲିଗ୍‌ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ଲାଗିଲାଣି। କ୍ରିକେଟର କିଛି ନିୟମ ରହିଛି ଯାହା କଦାପି ପରିବର୍ତ୍ତନ ହେବନାହିଁ। ଯେମିତିକି ୨୨ଗଜର ପିଚ୍‌, ୨୨ ଇଞ୍ଚର ଷ୍ଟମ୍ପ ଓ ୬ ଇଞ୍ଚର ବେଲ୍‌। ତେବେ କ୍ରିକେଟର ଆବିର୍ଭାବ ପରଠାରୁ ଅନେକ ନିୟମରେ ପରିବର୍ତ୍ତନ ଆସିଛି। ୧୭୭୪ରେ କ୍ରିକେଟରେ ଲେଗ୍‌ ବିଫୋର ଉଇକେଟ(ଏଲ୍‌ବିଡବ୍ଲ୍ୟୁ) ନିୟମ ପ୍ରଚଳିତ ହେଲା। ୧୭୭୫ ଯାଏ ଦୁଇଟି ଷ୍ଟମ୍ପରେ ମ୍ୟାଚ ଖେଳା ଯାଉଥିବା ବେଳେ କେଣ୍ଟ ଓ ହାମ୍ବେଲଡନ୍‌ ମ୍ୟାଚରେ ଝଗଡା ହେବା ପରେ ୩ ଷ୍ଟମ୍ପର ବ୍ୟବହାର ଆରମ୍ଭ ହୋଇଥିଲା। ୧୭୮୮ରେ ମେରିଲବୋନ କ୍ରିକେଟ କ୍ଲବ(ଏମ୍‌ସିସି)ର ପ୍ରତିଷ୍ଠା ହୋଇଥିଲା। ଏହା ପରଠାରୁ ବିଭିନ୍ନ କ୍ରିକେଟ ନିୟମର ପ୍ରଚଳନ ଓ ସଂଶୋଧନ ଏହି ସଂସ୍ଥାର ପ୍ରମୁଖ ଦାୟିତ୍ୱ ରହିଛି।
ଏମ୍‌ସିସି: କ୍ରିକେଟର ନିୟମ ପରିବର୍ତ୍ତନ ଓ ପ୍ରଚଳନ ପାଇଁ ୧୭୮୮ରେ ସ୍ଥାପନ ହୋଇଥିଲା ମେରିଲବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)। ତେବେ ୧୮୩୪ ପର୍ଯ୍ୟନ୍ତ କ୍ରିକେଟ ନିୟମରେ କୌଣସି ସଂଶୋଧନ କରାଯାଇନଥିଲା। ମେ ୧୯, ୧୮୩୫ରେ କ୍ରିକେଟର ସମ୍ବିଧାନ ‘ଦ ଲଜ୍‌ ଅଫ୍‌ ନୋବଲ୍‌ ଗେମ୍‌ ଅଫ୍‌ କ୍ରିକେଟ’ ପ୍ରଚଳନ କରାଯାଇଥିଲା। ଏଥିରେ ଦ୍ୱିତୀୟ ଧାରା ୧୮୮୪ ମସିହାରେ ଲାଗୁ କରାଯାଇଥିଲା। ୧୯୪୭, ୧୯୮୦ ଓ ୨୦୦୦ରେ ଆଉ ୩ଟି ସଂଶୋଧନ ହୋଇଥିଲା। ଶେଷ ଥର ପାଇଁ ୨୦୧୭ ମସିହାରେ ସମ୍ବିଧାନରେ ଷଷ୍ଠ ଥର ପାଇଁ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କ୍ରିକେଟ ସମ୍ବିଧାନରେ ୪୨ଟି ନିୟମ ରହିଥିବା ବେଳେ ଆଗାମୀ ଦିନରେ ଆହୁରି ପରିବର୍ତ୍ତନର ସମ୍ଭାବନା ରହିଛି। ଏହି ପରିବର୍ତ୍ତିତ ନିୟମ ଉପରେ ଏକ ନଜର…..
୫୦ ଓଭର ବା ଦିନିକିଆ କ୍ରିକେଟ: ଦିନିକିଆ କ୍ରିକେଟ ବା ଦିବାରାତ୍ର କ୍ରିକେଟ ୫୦ ଓଭର ବିଶିଷ୍ଟ। ତେବେ ଆରମ୍ଭରୁ ଏହା ୬୦ ଓଭର ବିଶିଷ୍ଟ ଫର୍ମାଟରେ ଖେଳାଯାଉଥିଲା। ୧୯୭୫, ୧୯୭୯ ଓ ୧୯୮୩ କ୍ରିକେଟ ବିଶ୍ୱକପ ଏହି ଫର୍ମାଟରେ ଖେଳାଯାଇଥିଲା। ତେବେ ୧୯୮୭ ବିଶ୍ୱକପରେ ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟକୁ ୫୦ ଓଭରକୁ ହ୍ରାସ କରାଯାଇଥିଲା। ବର୍ତ୍ତମାନ ରବି ଶାସ୍ତ୍ରୀଙ୍କ ପରି କ୍ରିକେଟର ଏହାକୁ ୪୦ ଓଭରକୁ ହ୍ରାସ କରିବା ପାଇଁ ଦାବି କରୁଛନ୍ତି।
ବ୍ୟାଟିଂ ପାଓ୍ବାର ପ୍ଲେ: ସୀମିତ ଓଭର କ୍ରିକେଟକୁ ଅଧିକ ମନୋରଞ୍ଜନଧର୍ମୀ କରିବା ପାଇଁ ବ୍ୟାଟିଂ ପାଓ୍ବାର ପ୍ଲେର ପ୍ରଚଳନ କରାଯାଇଥିଲା। ଆରମ୍ଭରୁ ଦିନିକିଆରେ ପ୍ରଥମ ୧୫ ଓଭର ମଧ୍ୟରେ ଦୁଇ ଜଣ ଖେଳାଳି ୩୦ ଗଜ ଇନ ଫିଲ୍ଡ (ଥାର୍ଟି ୟାର୍ଡ ସର୍କଲ) ବାହାରେ ରହୁଥିଲେ। ପ୍ରଥମ ଥର ପାଇଁ ୨୦୦୫ରେ ଏହି ନିୟମରେ ପରିବର୍ତ୍ତନ ଆସିଥିଲା। ପାଓ୍ବାର ପ୍ଲେକୁ ୩ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମ ୧୦ ଓଭର ବାଧ୍ୟତାମୂଳକ ରହିଥିଲା। ଦ୍ୱିତୀୟ ପାଓ୍ବାର ପ୍ଲେର ୫ ଓଭର ବୋଲିଂ ଦଳ ଓ ତୃତୀୟ ପାଓ୍ବାର ପ୍ଲେର ୫ ଓଭର ବ୍ୟାଟିଂ କରୁଥିବା ଦଳ ନିର୍ଦ୍ଧାରଣ କରୁଥିଲେ। ୨୦୧୫ରେ ଏହି ନିୟମରେ ଆଉଥରେ ପରିବର୍ତ୍ତନ ଆସିଥିଲା। ୧୦ ଓଭର ମଧ୍ୟରେ ଦୁଇ ଜଣ ଖେଳାଳି ୩୦ ଗଜ ବାହାରେ ରହିବା ବାଧ୍ୟତାମୂଳକ ଥିବା ବେଳେ ୧୧ରୁ ୪୦ ଓଭର ମଧ୍ୟରେ ୪ ଜଣ ଓ ୪୧ରୁ ୫୦ ଓଭର ମଧ୍ୟରେ ୫ ଜଣ ଫିଲ୍ଡର ବାହାରେ ରହି ପାରିବେ।
ଫ୍ରି ହିଟ୍‌: ଟି୨୦ କ୍ରିକେଟର ପ୍ରଚଳନ ପରେ ନୋ ବଲ୍‌ରେ ଫ୍ରି ହିଟ୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା ଓ ଦିନିକିଆ କ୍ରିକେଟରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଥିଲା। ଆରମ୍ଭରୁ କେବଳ ଓଭର ଷ୍ଟେପିଂ ଓ ଅଣ୍ଟାରୁ ଉପରେ ବୋଲିଂ ପାଇଁ ଫ୍ରି ହିଟ୍‌ ମିଳୁଥିବା ବେଳେ ପରବର୍ତ୍ତୀ ସମୟରେ ଦୁଇଟି ବାଉନ୍ସର ପାଇଁ ମଧ୍ୟ ଫ୍ରି ହିଟ୍‌ ପ୍ରଦାନ କରାଗଲା। ତେବେ ୨୦୦୭ ଟି୨୦ ବିଶ୍ୱକପ ପରେ ଫ୍ରି ହିଟ୍‌ ନିୟମରେ ଆଉ ଏକ ପରିବର୍ତ୍ତନ ଆସିଥିଲା। ନୋ ବଲ୍‌ ବୋଲିଂ ହେଇଥିବା ଖେଳାଳି ଫ୍ରି ହିଟ୍‌ ବଲ୍‌ରେ ଷ୍ଟ୍ରାଇକରେ ଥିଲେ ଫିଲ୍ଡରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ମାତ୍ର ଯଦି ପାର୍ଶ୍ୱ ପରିବର୍ତ୍ତନ ହୋଇଥାଏ ତେବେ ଫିଲ୍ଡ ଚେଞ୍ଜ କରାଯିବ।
ଦୁଇଟି ନୂଆ ବଲ୍‌: ଦିନିକିଆ କ୍ରିକେଟରେ ପାରିପାର୍ଶ୍ୱିକ ସ୍ଥିତିର ପ୍ରଭାବ(କୁହୁଡି) ହ୍ରାସ କରିବା ପାଇଁ ୨୦୧୦ରେ ଦୁଇଟି ନୂଆ ବଲ୍‌ ନିୟମ ଲାଗୁ କରାଯାଇଥିଲା। ପେସ୍‌ ବୋଲରଙ୍କ ପାଇଁ ଏହି ନିୟମ ଲାଭଦାୟକ ରହିଥିବା ବେଳେ ସ୍ପିନରଙ୍କୁ ଏଥିରେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ନିୟମ ଫଳରେ କ୍ରିକେଟରେ ଅଧିକ ୩୦୦+ ସ୍କୋର ଦେଖିବାକୁ ମିଳୁଛି। ୨୦୧୦ରେ ଏହି ନିୟମ ଲାଗୁ ହେବା ପରଠାରୁ ୧୬୦୬ ଇନିଂସରେ ୨୫୭ ଥର ୩୦୦+ ରନ୍‌ ସ୍କୋର ହୋଇଥିବା ବେଳେ ଏହା ପୂର୍ବରୁ ମାତ୍ର ୧୬ ଥର ଏଭଳି ହୋଇଥିଲା।
ସବଷ୍ଟିଚ୍ୟୁଟ୍‌: ଖେଳ ମଝିରେ ଜଣେ ଖେଳାଳି ଆହତ ହେଲେ ଅନ୍ୟ ଜଣେ ଖେଳାଳି ଫିଲ୍ଡିଂ ପାଇଁ ଆସିଥାନ୍ତି। ଏହାକୁ ସବଷ୍ଟିଚ୍ୟୁଟ୍‌ ଫିଲ୍ଡର ବୋଲି କୁହାଯାଏ। ୨୦୦୫ରେ ପ୍ରଥମେ ସୁପର ସବ୍‌ ବ୍ୟବସ୍ଥା ଲାଗୁ କରାଯାଇଥିଲା। ବ୍ୟାଟିଂ କରି ସାରିଥିବା ଜଣେ ଖେଳାଳିଙ୍କ ସ୍ଥାନରେ ଜଣେ ବୋଲର କିମ୍ବା କୋଟା ସମ୍ପୂର୍ଣ୍ଣ ହୋଇଥିବା ଜଣେ ବୋଲରଙ୍କ ସ୍ଥାନରେ ବ୍ୟାଟରଙ୍କୁ ସାମିଲ କରିବା ପାଇଁ ନିୟମ ରହିଥିଲା। ସମସ୍ତ ଦଳ ପକ୍ଷରୁ ବିରୋଧ କରାଯିବା ପରେ ମାତ୍ର ୧ ବର୍ଷ ମଧ୍ୟରେ ଏମ୍‌ସିସି ପକ୍ଷରୁ ଏହି ନିୟମକୁ ଉଚ୍ଛେଦ କରାଯାଇଥିଲା। ମାତ୍ର ୨୦୧୯ରେ କନ୍‌କସନ୍‌ ସବଷ୍ଟିଚ୍ୟୁଟ୍‌ ଭାବରେ ଖେଳାଳିଙ୍କୁ ସାମିଲ କରିବା ନେଇ ନିୟମ ଲାଗୁ କରାଯାଇଥିଲା। ୨୦୧୯ ଆସେସ୍‌ ସିରିଜ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମୁଣ୍ଡରେ ବଲ୍‌ ବାଜିବା ପରେ ମାର୍ନସ ଲାବୁଶେନ୍‌ କ୍ରିକେଟ ଇତିହାସର ପ୍ରଥମ କନ୍‌କସନ୍‌ ସବଷ୍ଟିଚ୍ୟୁଟ୍‌ ଖେଳାଳି ପାଲଟିଥିଲେ।
ସୁପର ଓଭର: ଟି୨୦ କ୍ରିକେଟରେ ମ୍ୟାଚ୍‌ ଟାଇ ରହିଲେ ମ୍ୟାଚର ଫଳାଫଳ ନିର୍ଦ୍ଧାରଣ ପାଇଁ ସୁପର ଓଭରର ସାହାଯ୍ୟ ନିଆଯାଉଛି। ତେବେ ଟି୨୦ କ୍ରିକେଟରେ ଆରମ୍ଭରୁ ବୋଲ୍‌ ଆଉଟ ବ୍ୟବସ୍ଥା ରହିଥିଲା। ପ୍ରତି ଦଳର ୬ ଜଣ ଖେଳାଳି ଷ୍ଟମ୍ପକୁ ବଲ୍‌ ମାରୁଥିଲେ। ଅଧିକ ଥର ଷ୍ଟମ୍ପରେ ବଲ୍‌ ବଜାଉଥିବା ଦଳ ବିଜୟୀ ହେଉଥିଲା। ପରେ ଏହାକୁ ବଦଳା ଯାଇ ଏହା ସ୍ଥାନରେ ସୁପର ଓଭର ପ୍ରଚଳିତ ହେଲା। ୩ ଜଣ ଖେଳାଳିଙ୍କୁ ବ୍ୟାଟିଂ ଓ ଜଣେ ଖେଳାଳିଙ୍କୁ ବୋଲିଂ ପାଇଁ ମନୋନୀତ କରାଯାଏ। ୬ ବଲ୍‌ ମଧ୍ୟରେ ଯେଉଁ ଦଳ ଅଧିକ ରନ୍‌ ସଂଗ୍ରହ କରେ ତାକୁ ବିଜୟୀ ଘୋଷଣା କରାଯାଏ। ତେବେ ଯଦି ସୁପର୍‌ ଓଭର-୧ ମଧ୍ୟ ଟାଇ ରୁହେ ତେବେ ଆଉ ୩ ଜଣ ଖେଳାଳିଙ୍କୁ ବ୍ୟାଟିଂ ଓ ଜଣେ ଖେଳାଳିଙ୍କୁ ବୋଲିଂ ପାଇଁ ବଛାଯାଇଥାଏ।
ସାଲିଭା ବ୍ୟାନ୍‌: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ଅକ୍ଟୋବର ୨୦୨୨ରେ ଆଇସିସି ପକ୍ଷରୁ ସାଲିଭା ବ୍ୟାନ୍‌ ଘୋଷଣା କରାଯାଇଥିଲା।
-ସରୋଜ କୁମାର ଜେନା

Share