ବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ, କେନ୍ଦ୍ରାପଡ଼ା ଜିଲାପାଳ

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟ ସରକାର ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଓଏମ୍‌ସି ଏମ୍‌ଡି ଥିବା ଆର୍‌.ଭିନିଲ କ୍ରିଷ୍ଣାଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ପୁରୀ ଜିଲାପାଳ ବଲୱନ୍ତ ସିଂହଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କୁ ଓଏମ୍‌ସି ଏମ୍‌ଡି ଭାବେ ମଧ୍ୟ ଅବସ୍ଥାପିତ କରାଯାଇଛି।
ସେହିପରି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କୁ ପୁରୀ ଜିଲାପାଳ ଭାବେ ନିଯୁକ୍ତି ମିଳିଛି। ରାୟଗଡ଼ା ପିଡି ଡିଆର୍‌ଡିଏ ଥିବା ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି।
ଜଗତସିଂହପୁର ଜିଲାପାଳ ସରୋଜ କୁମାର ମିଶ୍ରଙ୍କୁ ରାୟଗ଼ଡା ଜିଲାପାଳ ଭାବେ ନିଯୁକ୍ତ କରାଯାଇଛି। ରାୟଗଡ଼ା ଜିଲାପାଳ ଥିବା ପ୍ରମୋଦ କୁମାର ବେହେରା ରାଜସ୍ବ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।
ଅନ୍ୟପକ୍ଷେ ଆଇଏଏସ୍‌ ମହମ୍ମଦ ସାଦିକ ଆଲାମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱରର ସ୍ପେଶାଲ ଏଡିଏମ୍‌ ତଥା ବିଏମ୍‌ସିର ଅତିରିକ୍ତ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପସଚିବ କରାଯାଇଛି। ଖୋର୍ଦ୍ଧାର ସ୍ପେଶାଲ ଏଡିଏମ ଥିବା ବିଶାଳ ସିଂହଙ୍କୁ ଯାଜପୁରର ପିଡି ଡିଆରଡିଏ ଭାବେ ନିଯୁକ୍ତ କରାଯାଇଛି।

Share