Categories: ଜାତୀୟ

ୟୁଜିସି ନିୟମରେ ପରିବର୍ତ୍ତନ, ଗୋଟିଏ ସମୟରେ ପଢ଼ିହେବ ଦୁଇ ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୨୪।୪ : ଭାରତୀୟ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଡିପ୍ଲୋମା ଏବଂ ଗ୍ରାଜୁଏଶନ କିମ୍ବା ଗ୍ରାଜୁଏଶନ ଏବଂ ପୋଷ୍ଟ ଗ୍ରାଜୁଏଶନ କିମ୍ବା ଦୁଇଟି ଗ୍ରାଜୁଏଶନ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇବାକୁ ଯାଉଛନ୍ତି। ଉଚ୍ଚଶିକ୍ଷାରେ ଏହି ନୂତନ ନିୟମରେ ପରିବର୍ତ୍ତନଗୁଡ଼ିକ ୟୁଜିସି ଦ୍ୱାରା କରାଯାଇଛି। ଏହି ନୂତନ ପରିବର୍ତ୍ତନ ପରେ, ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ଉପସ୍ଥାନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରିବାକୁ ପଡିବ।

ଏକାସାଙ୍ଗରେ ୨ ଡିଗ୍ରୀ ନେଉଥିବା ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ କିପରି ସଂଗଠିତ କରାଯିବ ସେଥିପାଇଁ ବିଶ୍ୱବିଦ୍ୟାଳୟ ନିଜେ ନୂତନ ନିୟମ ପ୍ରସ୍ତୁତ କରିବେ। ବିଶ୍ୱବିଦ୍ୟାଳୟକୁ କେବଳ ଏକ ଉପସ୍ଥାନ ବ୍ୟବସ୍ଥା କରିବାକୁ ପଡିବ ନାହିଁ, ବରଂ ପରୀକ୍ଷା ଏବଂ ପ୍ରାକ୍ଟିକାଲ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଏକ ନୂତନ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ହେବ। ନୂତନ ଶିକ୍ଷା ନୀତିରେ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଡିପ୍ଲୋମା, ୟୁଜି କିମ୍ବା ପିଜି, ଦୁଇଟି ପିଜି ପ୍ରୋଗ୍ରାମ କରିବାକୁ ଅନୁମତି ଦିଆଯାଇଛି।

କେବଳ ଏତିକି ନୁହେଁ, ପିଜି ଛାତ୍ରମାନେ ନିଜ ପସନ୍ଦର ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ପୂଣି ଆଡମିଶନ ନେଇପାରିବେ। ତେବେ ରିସର୍ଚ୍ଚ କରୁଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ଏହା ସହଜ ହେବ ନାହିଁ । କୌଣସି ପିଏଚଡି ଛାତ୍ର ପିଏଚଡି କରିବା ସହିତ ଅନ୍ୟ କୌଣସି ଡିପ୍ଲୋମା, ଡିଗ୍ରୀ କିମ୍ବା ସ୍ନାତକୋତ୍ତର ପ୍ରୋଗ୍ରାମରେ ନାମ ଲେଖାଇ ପାରିବେ ନାହିଁ।

ପିଏଚଡି ଛାତ୍ରମାନେ ଏକାସାଙ୍ଗରେ ଦୁଇଟି ପିଏଚଡି କରିପାରିବେ ନାହିଁ। ୟୁଜିସି ଅଧ୍ୟକ୍ଷ ଏମ୍‌.ଜଗଦୀଶ କୁମାର କହିଛନ୍ତି ଯେ ଦୁଇଟି ଡିଗ୍ରୀ ପାଠ୍ୟକ୍ରମ କରିବା ସମ୍ବନ୍ଧରେ ଏକ ଗାଇଡଲାଇନ ଅଛି। ଛାତ୍ରୀଛାତ୍ରମାନଙ୍କୁ ମନେ ରଖିବାକୁ ହେବ ଯେ ଯଦି ସେମାନେ ଏକକାଳୀନ ଦୁଇ ଡିଗ୍ରୀ ପୂରଣ କରନ୍ତି ତେବେ ଉଭୟ ପାଠ୍ୟକ୍ରମର ସମୟ ମଧ୍ୟରେ କୌଣସି ଦ୍ୱନ୍ଦ ରହିବା ଉଚିତ୍‌ ନୁହେଁ। ବିଭିନ୍ନ ପାଠ୍ୟକ୍ରମର ଶ୍ରେଣୀ ସମୟ ମଧ୍ୟରେ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ଛାତ୍ରମାନଙ୍କୁ କିଛି ନିୟମ ଅନୁସରଣ କରିବାକୁ ପଡିବ। ଏଭଳି ଛାତ୍ରୀଛାତ୍ରମାନେ ଫିଜିକାଲ ମୋଡରେ ଗୋଟିଏ ଏବଂ ଅନ୍ୟଟି ଓପନ ଆଣ୍ଡ ଡିଷ୍ଟାନ୍ସ ଲର୍ଣ୍ଣିଂ କିମ୍ବା ଅନଲାଇନ ମୋଡରେ କରିପାରିବେ।

Share