Categories: ଖେଳ

ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର: ଚାକିରିରେ ପଦୋନ୍ନତି

ନୂଆଦିଲ୍ଲୀ,୨୮।୭(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ଓ୍ବେଟ୍‌ଲିଫ୍ଟର ମୀରାବାଈ ଚାନୁଙ୍କ ଉପରେ ପୁରସ୍କାର ଓଜାଡ଼ି ହୋଇପଡୁଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚାନୁଙ୍କ ପାଇଁ ୨ କୋଟି ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ଏଥିସହ ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲଓ୍ବେରେ ଚାନୁ ଚାକିରି କରୁଥିବାରୁ ତାଙ୍କୁ ପଦୋନ୍ନତି ଦିଆଯାଇଛି। ତାଙ୍କୁ ରେଳବାଇର କ୍ରୀଡ଼ା ବିଭାଗରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି)କୁ ପ୍ରମୋଶନ ଦିଆଯାଇଛି।
ନିଜର କଠିନ ପରିଶ୍ରମ, ପ୍ରତିଭା, ଦକ୍ଷତା ବଳରେ ଚାନୁ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିବା ସହ ସମସ୍ତଙ୍କ ପାଇଁ ପ୍ରେରଣା ଆଣି ଦେଇଛନ୍ତି ବୋଲି ବୈଷ୍ଣବ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଚାନୁ ସୋମବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ୪୯ କେ.ଜି. ବର୍ଗରେ ମୋଟି ୨୦୨ କେ.ଜି. (୮୭ କେ.ଜି. + ୧୧୫ କେ.ଜି.) ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପୂର୍ବରୁ ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ କର୍ନମ ମାଲେଶ୍ୱରୀ ଓ୍ବେଟ୍‌ଲିଫ୍ଟିଙ୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Share