ଲାଗିରହିଛି ଆରୋପ ପ୍ରତ୍ୟାରୋପ

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୨୦ା୧୨: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଓ ବେଲପାହାଡ ପୌର ପରିଷଦ ପରିଚାଳନାକୁ ନେଇ ଏବେ ଦେଖାଦେଇଛି ଅଚଳାବସ୍ଥା। ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଥିବାବେଳେ ଅନ୍ୟପଟେ ପୌରାଞ୍ଚଳରେ ଉନ୍ନୟନ କାମ ଆଗେଇ ପାରୁନାହିଁ। ସରକାର ଓ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଉଭୟ ପୌରପରିଷଦକୁ ସୂଚାରୁରୂପେ ପରିଚାଳନା କରିବାପାଇଁ ଦାବି ହେଉଛି।
ନବନିର୍ବାଚିତ ପ୍ରତିନିଧିଙ୍କୁନେଇ ବ୍ରଜରାଜନଗର ଓ ବେଲପାହାଡରେ କାଉନସିଲ୍‌ ବୈଠକ ଆହ୍ବାନ କରାଯାଉଛି ା ହେଲେ ବୈଠକରେ ଅଧିକାଂଶ କାଉନସିଲର ଅନୁପସ୍ଥିତ ରହୁଛନ୍ତି। କେତେବେଳେ କାଉନସିଲରମାନେ ପୌରାଧ୍ୟକ୍ଷ ଆଉ କେତେବେଳେ ପୌର ନିର୍ବାହୀ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣୁଛନ୍ତି। ଗତ ଗୁରୁବାର ବେଲପାହାଡ ପୌର ପରିଷଦ ବୈଠକ ରହିଥିବାବେଳେ ଏଥିରେ ଉପାଧ୍ୟକ୍ଷାଙ୍କ ସମେତ ୧୩ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ କୋରମ ଅଭାବରୁ ପୌରାଧ୍ୟକ୍ଷ ବୈଠକ ବାତିଲ କରିଥିଲେ। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ହୋଇଥିଲା। ଏ ନେଇ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ଅନ୍ୟପକ୍ଷେ ଉପଧ୍ୟକ୍ଷା ରୀନା ସୁନାଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ କାଉନସିଲରମାନେ ସୋମବାର ଜିଲାପାଳଙ୍କୁ ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଏକକିତା ନକଲ ବିଭାଗୀୟ ନିର୍ଦ୍ଦେଶକ, ୫-ଟି ସଚିବ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ବେଲପାହାଡ ପୌର ପରିଷଦ କାଉନସିଲ୍‌ ବୈଠକରେ ଓଡିଶା ମ୍ୟୁନିସିପାଲ ଆକ୍ଟ ୧୯୫୦ (୭୧-(୨-ବି) ପାଳନ କରାଯାଉନାହିଁ, ପୌରାଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ ଆଦି ଉଲ୍ଲେଖ ରହିଛି। ସେହିପରି ବ୍ରଜରାଜନଗର ପୌର ପରିଷଦ ପରିଚାଳନାରେ ଅବବ୍ୟସ୍ଥା ନେଇ ଉପାଧ୍ୟକ୍ଷ କ୍ରିଷ୍ଣା ଗୋପାଳ ସିତାନୀଙ୍କ ନେତୃତ୍ୱରେ ୧୩ଜଣ କାଉନସିଲର ସୋମବାର ପତ୍ର ମାଧ୍ୟମରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ନକଲ ପୌର ନିର୍ବାହୀ ଅଧିକାରୀ, ୟୁଡି ବିଭାଗ ସମ୍ପାଦକ, ୫-ଟି ସଚିବ ଆଦିଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷେ ବେଲପାହାଡ ପୌର ପରିଷଦରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ଉପଧ୍ୟକ୍ଷା ଓ କେତେଜଣ କାଉନସିଲର ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଛନ୍ତି। କର୍ମଚାରୀମାନେ ଏହାକୁ ନିନ୍ଦା କରିବା ସହ ଏସମ୍ପର୍କରେ ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।