Categories: ଜାତୀୟ

ଚାରିଧାମ ଯାତ୍ରା: ସପ୍ତାହକରେ ୨୬ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ

ଡେରାଡୁନ,୧୩ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପ୍ରାୟ ଏକ ସପ୍ତାହ ହେବ ଆରମ୍ଭ ହୋଇଯାଇଛି । ଆଉ ଏହି ସପ୍ତାହକ ମଧ୍ୟରେ ପାଖାପାଖି ୨୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କେବଳ କେଦାରନାଥ ଯିବା ସମୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କେଦାରନାଥ ଧାମ ଦର୍ଶନ କରିବା ପାଇଁ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀଙ୍କ ଲମ୍ବା ଲାଇନ ଲାଗିଛି । ଲାଗୁଛି ସତେ ଯେମିତି ମଣିଷଙ୍କ ଟ୍ରାଫିକ ଜାମ ହୋଇଯାଇଛି ।
ସୂଚନାଯୋଗ୍ୟ, ଏଥର କେଦାରନାଥଙ୍କ ଦର୍ଶନ କରିବାକୁ ଯେମିତି ଶ୍ରଦ୍ଧାଳୁ ପାଗଳ ହୋଇଯାଇଛନ୍ତି । ୨୦୧୯ ଅର୍ଥାତ୍ କରୋନା ମହାମାରୀ ପୂର୍ବରୁ କେଦାରନାଥରେ ୬ମାସରେ ୯ଲକ୍ଷ ୨୬ ହଜାର ଲୋକ ଦର୍ଶନ କରିଥିବା ବେଳେ ୨୦୨୦ କରୋନା ସମୟରେ ମାତ୍ର ୨ ଲକ୍ଷ ୨୦ ହଜାର ଲୋକ କେଦାରନାଥ ଦର୍ଶନ ପାଇଁ ଯାଇଥିଲେ । ସେହିପରି ୨୦୨୧ରେ ୨ ଲକ୍ଷ ୪୨ ହଜାର ଲୋକ ଦର୍ଶନ କରିଥିଲେ । ହେଲେ ଏଥର ମାତ୍ର ୭ ଦିନରେ ୧ଲକ୍ଷ ୩୨ ହଜାର ଲୋକ କେଦାରନାଥଙ୍କ ଦର୍ଶନ କରି ସାରିଲେଣି । ହେଲେ ଏଠାକାର ଅବ୍ୟବ୍ୟସ୍ଥା ଯୋଗୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି ।
ଏବେ ଏହାକୁ ଦୃଷ୍ଟିରେ ରଖି କିଛି ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଯେମିତିକି ବିନା ରେଜିଷ୍ଟ୍ରେଶନରେ କେହି କେଦାରନାଥ ଯାତ୍ରା କରିପାରିବେ ନାହିଁ । ରାତିରେ ମନ୍ଦିର ଖୋଲିବାର ସମୟକୁ ବଢାଇ ଦିଆଯାଇଛି । ରାତି ୧୦ଟା ପରେ ବି କେଦାରନାଥଙ୍କ ଦର୍ଶନ କରିହେବ । ଭିଡକୁ ରୋକିବାକୁ ଲୋକଙ୍କୁ ପୂର୍ବରୁ ଅଟକାଇ ଦିଆଯାଉଛି । ଭକ୍ତଙ୍କୁ ସୋନପ୍ରୟାଗ, ଗୌରିକୁଣ୍ଡ, ଗୁପ୍ତକାଶୀ, ରୁଦ୍ରପ୍ରୟାଗ ଭଳି ସ୍ଥାନରେ ଅଟକାଇ ଦିଆଯାଉଛି ।

Share