Categories: ଜାତୀୟ

ଜ୍ୟୋତିଷ ଶାସ୍ତ୍ରର ପ୍ରବଳ ବିଶ୍ୱାସୀ ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍‌ ମାନନ୍ତି। ଏଥି ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ସେ ବୈଷୟିକ ଶିକ୍ଷାମନ୍ତ୍ରୀ ଥିଲେ। କଂଗ୍ରେସର ଏହି ବରିଷ୍ଠ ନେତା ବହୁବାର ନିଜ ଦଳ ପାଇଁ ଚିନ୍ତାର କାରଣ ପାଲିଟିଛନ୍ତି।

ଗତ ଥର ମନ୍ତ୍ରୀ ପଦ ପାଇବା ପୂର୍ବରୁ ୩ ଥର ବିଧାୟକ ଚାନ୍ନି ଯାଇଥିଲେ ଜଣେ ଜ୍ୟୋତିଷଙ୍କ ନିକଟକୁ। ରାଜନୀତିରେ ଆଗେଇବା ପାଇଁ ଜ୍ୟୋତିଷ ତାଙ୍କୁ ବାସଭବନର ଦ୍ୱାର ପୂର୍ବାମୁହଁା କରିବାକୁ ଆଦେଶ ଦେଇଥିଲେ। ପରିଣାମ ସ୍ବରୂପ ଚଣ୍ଡିଗଡ଼ ସେକ୍ଟର ୨ସ୍ଥିତ ବାସଭବନ ବାହାରେ ଥିବା ପାର୍କଠାରୁ ଏକ ବେଆଇନ ରାସ୍ତା ନିର୍ମାଣ କରାଇଥିଲେ। ଅବଶ୍ୟ କିଛି ଘଣ୍ଟା ପରେ ରାସ୍ତାକୁ ଓପାଡ଼ି ଫିଙ୍ଗିଥିଲା ଚଣ୍ଡିଗଡ଼ ପ୍ରଶାସନ।

ତେବେ ଜ୍ୟୋତିଷଙ୍କ ଆଦେଶରେ ବିବାଦୀୟ କାର୍ଯ୍ୟ କରିବା ତାଙ୍କ ପାଇଁ ନୂଆଁ ନୁହେଁ। ପୂର୍ବରୁ ଥରେ ଜ୍ୟୋତିଷଙ୍କ ଆଦେଶରେ ଖରାରସ୍ଥିତ ନିଜ ଘର ଆଗରେ ହାତୀ ଉପରେ ବସିଥିଲେ। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

୨୦୧୮ରେ ଏକ ପଲିଟେକନିକ ଇନଷ୍ଟିଚ୍ୟୁଟରେ ଜଣେ ଲେକଚର ପୋଷ୍ଟ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଟସ୍‌ ପକାଇ ଯୋଗ୍ୟ ପ୍ରାର୍ଥୀ ବାଛିଥିଲେ। ଏହା ପୂରା ରାଜ୍ୟ କଂଗ୍ରେସର ମୁଣ୍ଡ ନୁଆଁଇ ଦେଇଥିଲା। ତେବେ ସ୍ବଚ୍ଛ ଢ଼ଙ୍ଗରେ ପଦବି ବଣ୍ଟନ କରିବା ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା ବୋଲି କଂଗ୍ରେସ ପ୍ରବକ୍ତା ଯୁକ୍ତି ବାଢ଼ିଥିଲେ।

Share