Categories: ଜାତୀୟ

ଅଭିଯୁକ୍ତ ଭାଷା ନ ବୁଝିଲେ ବି ଚାର୍ଜଶିଟ ବେଆଇନ ନୁହେଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୬।୮ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧିକ ପ୍ରକ୍ରିୟା (ସିଆରପିସି) ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଚାର୍ଜଶୀଟ କୋର୍ଟର ଭାଷାରେ ଦାଖଲ କରିବେ। ସିଆରପିସିର ଧାରା ୨୭୨ ଅନୁଯାୟୀ, ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ ନିମ୍ନ ଅଦାଲତର ଭାଷା ସ୍ଥିର କରିପାରିବେ।

ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ସିବିଆଇର ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ହାଇକୋର୍ଟ ତଦନ୍ତକାରୀ ସଂସ୍ଥାକୁ ବ୍ୟାପମ ସ୍କାମରେ ଅଭିଯୁକ୍ତ ଦୁଇଜଣଙ୍କୁ ହିନ୍ଦୀରେ ଚାର୍ଜଶିଟ ପ୍ରଦାନ କରିବାକୁ କହିଥିଲେ। ସୁପ୍ରିମକୋର୍ଟ କହିଛନ୍ତି କୋର୍ଟର ଭାଷାରେ କିମ୍ବା ଅଭିଯୁକ୍ତ ବୁଝୁ ନ ଥିବା ଭାଷା ଛାଡ଼ି ଅନ୍ୟ ଏକ ଭାଷାରେ ଦାଖଲ ହୋଇଥିବା ଚାର୍ଜଶିଟ ବେଆଇନ ନୁହେଁ।

କୋର୍ଟ କହିଛନ୍ତି ସିଆରପିସିର ଧାରା ୨୭୨ ଅନୁଯାୟୀ ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ ନିମ୍ନ ଅଦାଲତର ଭାଷା ସ୍ଥିର କରିପାରିବେ, କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା କିମ୍ବା ପୋଲିସର ଭାଷା ସ୍ଥିର କରିବାର ଧାରା ଅନୁଯାୟୀ ଏହାର କ୍ଷମତା ନାହିଁ। ସିଆପିସିର ଧାରା ୨୦୭ ଅନୁଯାୟୀ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଅଭିଯୁକ୍ତଙ୍କୁ ଚାର୍ଜଶିଟର କପି ଏବଂ ଅନ୍ୟାନ୍ୟ ଦଲିଲ ପ୍ରଦାନ କରିବାକୁ ପଡିବ।

ସୁପ୍ରିମକୋର୍ଟ କହିଛନ୍ତି ଯଦି ଅଭିଯୁକ୍ତ ତାଙ୍କୁ ଦିଆଯାଇଥିବା ଚାର୍ଜଶିଟର ଭାଷା ଏବଂ ଅନ୍ୟାନ୍ୟ ଦଲିଲଗୁଡ଼ିକୁ ବୁଝିପାରୁନାହାଁନ୍ତି, ତେବେ ସେ ଶୀଘ୍ର କୋର୍ଟରେ ଆପତ୍ତି ଉଠାଇବା ଉଚିତ। ତା’ହେଲେ ଅନୁବାଦିତ ଦଲିଲ ତାଙ୍କୁ ପ୍ରଦାନ କରାଯାଇପାରିବ। ଏଥିସହ, ଯଦି ଅଭିଯୁକ୍ତଙ୍କ ଆଇନଜୀବୀ ଚାର୍ଜଶିଟ ଭାଷା ବୁଝନ୍ତି, ତେବେ ସେ ଏହାକୁ ନିଜ ମହକିଲଙ୍କୁ ବୁଝାଇ ପାରିବେ ଏବଂ ସେହି କ୍ଷେତ୍ରରେ ଅଭିଯୁକ୍ତ ଅନୁବାଦିତ ଦଲିଲଗୁଡ଼ିକର ଆବଶ୍ୟକତା ନାହିଁ। କୋର୍ଟ କହିଛନ୍ତି ଚାର୍ଜଶିଟର ଭାଷା ଅଭିଯୁକ୍ତଙ୍କଦ୍ୱାରା ବୁଝି ହେଉ ନ ଥିଲେ ମଧ୍ୟ ଏହା ବେଆଇନ ନୁହେଁ ଏବଂ ଏହି କାରଣରୁ ଜାମିନ ଆବେଦନ କରାଯାଇପାରିବ ନାହିଁ।

Share